Pension Distribution Row Sparks :ଭତ୍ତା ପାଇଁ ୨୫ କିମି ଯାତ୍ରା! ଚିନ୍ତାରେ ବୟସ୍କ ହିତାଧିକାରୀ
ନାଆମୀ ପଞ୍ଚାୟତରେ ଭତ୍ତା ବଣ୍ଟନକୁ ନେଇ ଅସନ୍ତୋଷ। ୨୫ କିମି ଦୂର ବ୍ଲକ କାର୍ଯ୍ୟାଳୟ ଯିବାକୁ ନେଇ ଚିନ୍ତାରେ ବୟସ୍କ ଓ ଦିବ୍ୟାଙ୍ଗ ହିତାଧିକାରୀ।

ଭତ୍ତା ବଣ୍ଟନକୁ ନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ନାଆମୀ ପଞ୍ଚାୟତରେ ଦେଖାଦେଇଛି ଅସନ୍ତୋଷ। ଗତ ୧୬ ତାରିଖରେ ପଞ୍ଚାୟତରେ ଭତ୍ତା ବଣ୍ଟନ ଚାଲିଥିବା ସମୟରେ କୌଣସି କାରଣକୁ ନେଇ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ସେଦିନ ଭତ୍ତା ବଣ୍ଟନ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିଲା। ଏବେ ଭତ୍ତା ବଣ୍ଟନକୁ ନେଇ ନିଆଯାଇଥିବା ନୂଆ ନିଷ୍ପତ୍ତି ହିତାଧିକାରୀଙ୍କ ଚିନ୍ତା ବଢ଼ାଇଛି। ନାଆମୀ ପଞ୍ଚାୟତ ପରିବର୍ତ୍ତେ ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରାଯିବା ନେଇ ସୂଚନା ମିଳିଛି। ଫଳରେ ହିତାଧିକାରୀଙ୍କୁ ପ୍ରାୟ ୨୫ କିଲୋମିଟର ଦୂର ଯାତ୍ରା କରିବାକୁ ପଡ଼ିବ।ଏହି ନିଷ୍ପତ୍ତି ଯୋଗୁଁ ସବୁଠାରୁ ଅଧିକ ଅସୁବିଧାରେ ପଡ଼ିବେ ବୟସ୍କ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ହିତାଧିକାରୀ। ଶାରୀରିକ ଅସୁସ୍ଥତା ଓ ବାର୍ଦ୍ଧକ୍ୟ କାରଣରୁ ଏତେ ଦୂର ଯାତ୍ରା କରି ଭତ୍ତା ଆଣିବା ସେମାନଙ୍କ ପକ୍ଷେ କଷ୍ଟକର ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ତେଣୁ ହିତାଧିକାରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବଭଳି ପଞ୍ଚାୟତ ସ୍ତରରେ ଭତ୍ତା ବଣ୍ଟନ କରିବା କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଅସହାୟ ଓ ବୟସ୍କ ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେବାକୁ ଦାବି ହେଉଛି।
