Kenya Citizen Arrested: ଅନଲାଇନ୍ କ୍ୟାରମ୍ ଆପ୍ରୁ ବନ୍ଧୁତା, ପରେ ଅପହରଣ
ଅନଲାଇନ୍ କ୍ୟାରମ୍ ଆପ୍ ରେ ବନ୍ଧୁତା ପରେ ନାବାଳିକା ଅପହରଣ ଅଭିଯୋଗ। ଭୁବନେଶ୍ୱରର ହୋଟେଲରୁ ନାବାଳିକା ଉଦ୍ଧାର, କେନିଆ ନାଗରିକ ଗିରଫ।
ପୁରୀ: ଅନଲାଇନ୍ ଗେମ୍ ଆପ୍ରେ ବନ୍ଧୁତା, ପରେ ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ଉଦ୍ୟମ ଅଭିଯୋଗ। ଏହି ଘଟଣାରେ ଜଣେ କେନିଆ ନାଗରିକଙ୍କୁ ଗିରଫ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅନଲାଇନ୍ କ୍ୟାରମ୍ ଆପ୍ ଜରିଆରେ ପୁରୀର ଜଣେ ନାବାଳିକାଙ୍କ ସହ ଅଭିଯୁକ୍ତ ମହମଦ ଫଇଜି ମହମଦଙ୍କ ବନ୍ଧୁତା ହୋଇଥିଲା। ପରେ ସେ ନାବାଳିକାଙ୍କୁ ଭେଟିବା ପାଇଁ ପୁରୀ ଆସିଥିଲେ। ଏସ୍ସିଏସ୍ କଲେଜ ନିକଟରେ ଦେଖା କରିବା ପରେ ତାଙ୍କୁ ଭୁବନେଶ୍ୱର ନେଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପୁରୀ ଟାଉନ୍ ଥାନାରେ ଅପହରଣ ଅଭିଯୋଗ ହୋଇଥିଲା। ଏପରିକି ଏକ VPN ନମ୍ବରରୁ ନାବାଳିକାଙ୍କ ବାପାଙ୍କୁ ଫୋନ୍ କରି ମୁକ୍ତିପଣ ବାବଦକୁ ଲକ୍ଷେ ଟଙ୍କା ଦାବି କରାଯାଇଥିବା ମଧ୍ୟ ଅଭିଯୋଗ ରହିଛି। ଅଭିଯୋଗ ପରେ ପୁରୀ ଟାଉନ୍ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ର ମିଳିତ ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରିଥିଲା। ଏକ ଘରୋଇ ହୋଟେଲରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କେନିଆ ନାଗରିକ ମହମଦ ଫଇଜି ମହମଦଙ୍କୁ ଗିରଫ କରିଥିଲା ପୋଲିସ। ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ନଭେମ୍ବର ୧୦ ତାରିଖରେ ଭାରତ ଆସି ଗୁଜରାଟରେ ରହୁଥିଲେ। ବାପାଙ୍କ ଅସୁସ୍ଥତା ଓ ଚିକିତ୍ସା ପାଇଁ ସେ ଭାରତ ଆସିଥିବା କହିଛନ୍ତି। ଅନ୍ୟପଟେ, ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବା ଓ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ଭଳି ଗୁରୁତର ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ନାବାଳିକାଙ୍କ ପକ୍ଷରୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି।
