JSW Project Row Heats Up Again : ହକ୍ ପାଇଁ ହୁଙ୍କାର, JSW ପ୍ରକଳ୍ପ ବିରୋଧରେ ପୁଣି ତେଜିଲା ସ୍ୱର
JSW ପ୍ରକଳ୍ପକୁ ନେଇ ପୁଣି ଗର୍ଜିଲେ ଅଞ୍ଚଳବାସୀ! ୧୫ ଦଫା ଦାବି ନେଇ ଆରପାର ଲଢ଼େଇର ଚେତାବନୀ।

JSW ପ୍ରକଳ୍ପକୁ ନେଇ ପୁଣି ମୁଣ୍ଡ ଟେକିଛି ଅଞ୍ଚଳବାସୀଙ୍କ ଅସନ୍ତୋଷ। ନିଜର ହକ୍, ଅଧିକାର ଓ ଜୀବିକାର ସୁରକ୍ଷା ଦାବିରେ ଏକାଠି ହୋଇଛନ୍ତି ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତର ପ୍ରଭାବିତ ଲୋକେ। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଗୁରୁତ୍ୱ ଦେଇ ପ୍ରଶାସନ ଏବଂ JSW କର୍ତ୍ତୃପକ୍ଷଙ୍କ ନିକଟରେ ରଖିଛନ୍ତି ୧୫ ଦଫା ଦାବି।ଏହି ଦାବିଗୁଡ଼ିକ ମଧ୍ୟରେ ସ୍ଥାନୀୟ ନିଯୁକ୍ତି, ଉପଯୁକ୍ତ କ୍ଷତିପୂରଣ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁରକ୍ଷା ଭଳି ପ୍ରମୁଖ ପ୍ରସଙ୍ଗ ସାମିଲ ରହିଛି। ଏଥିସହ ପ୍ରଭାବିତଙ୍କ ସମସ୍ୟା ଓ ଦାବି ଉପରେ ଆଲୋଚନା ପାଇଁ ତୁରନ୍ତ RPDAC ବୈଠକ ଡାକିବାକୁ ମଧ୍ୟ ଦାବି ହୋଇଛି।ନିଯୁକ୍ତି କ୍ଷେତ୍ରରେ ଯୋଗ୍ୟତା ଆଧାରରେ ୮୦ ପ୍ରତିଶତ ସ୍ଥାନୀୟ ଯୁବକଯୁବତୀ ଏବଂ ୨୦ ପ୍ରତିଶତ ଜିଲ୍ଲାର ଅନ୍ୟ ଯୁବକଯୁବତୀଙ୍କୁ ସୁଯୋଗ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ସେହିପରି ପ୍ରଭାବିତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଜୀବିକା ନିର୍ବାହ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ରଖାଯାଇଛି।ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଭାବିତ ଲୋକେ। ଜଟାଧାର ନଦୀ ଓ ସମୁଦ୍ରର ପରିବେଶ ସୁରକ୍ଷା ସହ ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ, ସୁରକ୍ଷା ପ୍ରାଚୀର ନିର୍ମାଣ, ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାବୃତ୍ତି, ମାଗଣା ଚିକିତ୍ସା ସୁବିଧା, ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଏବଂ ମାଗଣା LPG ଗ୍ୟାସ୍ ଯୋଗାଣ ଭଳି ଦାବି ଉଠାଇଛନ୍ତି।ଏହାବ୍ୟତୀତ ଦୀର୍ଘବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ପରିବାରଗୁଡ଼ିକୁ ଘରଡିହ ପଟ୍ଟା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି। ପ୍ରଭାବିତ ଅଞ୍ଚଳବାସୀଙ୍କ ଏହି ୧୫ ଦଫା ଦାବି ପ୍ରତି ପ୍ରଶାସନ ଓ JSW କର୍ତ୍ତୃପକ୍ଷ କେବେ ଗୁରୁତ୍ୱ ଦେଉଛନ୍ତି, ତାହାକୁ ନେଇ ଏବେ ଅପେକ୍ଷା। ଦାବିଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଭାବିତ ଅଞ୍ଚଳବାସୀ।
