ଧାନମଣ୍ଡି ଖୋଲିବା ପୂର୍ବରୁ ବରଗଡ଼ରେ ତାତିଲା ରାଜନୀତି; ସାଟେଲାଇଟ୍ ସର୍ଭେ, ଟୋକନ୍ ଓ ଚାଉଳ ଉଠାଣକୁ ନେଇ ଅସନ୍ତୋଷ
ବରଗଡ଼ରେ ନଭେମ୍ବର ୩୦ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ। ସାଟେଲାଇଟ୍ ସର୍ଭେ, ଟୋକନ୍ ସମସ୍ୟା ଓ ମିଲର୍ସଙ୍କ ପାଖରେ ଚାଉଳ ଉଠାଣକୁ ନେଇ DLPC ବୈଠକରେ ତେଜିଲା ଅସନ୍ତୋଷ।
ବରଗଡ଼: ଭାତହାଣ୍ଡି ବରଗଡ଼ରେ ଧାନ ଅମଳ ପରେ ମଣ୍ଡି ଖୋଲିବାକୁ ଅପେକ୍ଷା କରିଛନ୍ତି ଚାଷୀ। ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା। ତେବେ ମଣ୍ଡି ଖୋଲିବା ପୂର୍ବରୁ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ସାଟେଲାଇଟ୍ ସର୍ଭେ, ମିଲର୍ସଙ୍କ ପାଖରେ ପଡ଼ିରହିଥିବା ଚାଉଳ ଏବଂ ଟୋକନ୍ ସମସ୍ୟାକୁ ନେଇ DLPC ବୈଠକରେ ଉଠିଛି ଅସନ୍ତୋଷ। ବୈଠକରେ ପ୍ରଶାସନକୁ ଘେରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ସାଟେଲାଇଟ୍ ସର୍ଭେ ଆଧାରରେ ଚାଷୀଙ୍କ ଧାନ ଉତ୍ପାଦନ ଆକଳନକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ମିଲର୍ସଙ୍କ ନିକଟରେ ପୂର୍ବରୁ ଦିଆଯାଇଥିବା ଚାଉଳ ଉଠାଣ ହୋଇନଥିବାରୁ ନୂଆ ଧାନ ସଂଗ୍ରହରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁଁ ଧାନ ନଷ୍ଟ ହେବାର ଆଶଙ୍କା ଥିବାରୁ ମଣ୍ଡିରେ ଧାନ ସଂରକ୍ଷଣ ପାଇଁ ଆବଶ୍ୟକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଚାଷୀ ସଂଗଠକ ବୀରେନ୍ଦ୍ର କର। ଏଥିସହ ଟୋକନ୍ ପ୍ରଦାନରେ ଯେପରି ବିଳମ୍ବ ଓ ଅବ୍ୟବସ୍ଥା ନହୁଏ, ସେଥିପ୍ରତି ପ୍ରଶାସନ ଆଗୁଆ ଧ୍ୟାନ ଦେବାକୁ ଦାବି ହୋଇଛି। ବରଗଡ଼, ଅତାବିରା ଓ ପଦ୍ମପୁର—ଜିଲ୍ଲାର ତିନୋଟି RMC ଅଧୀନରେ ଏକାସାଙ୍ଗରେ ଧାନମଣ୍ଡି ଖୋଲିବ। ତେବେ ଚାଉଳ ଉଠାଣ ସମସ୍ୟାକୁ ନେଇ ନିଜ ପକ୍ଷ ରଖିଛି ମିଲର୍ସ ସଂଘ। ଚାଉଳ ଉଠାଣ ନହେଲେ ମିଲର୍ସଙ୍କ ପକ୍ଷରେ ନୂଆ ଧାନ ଗ୍ରହଣ କରିବା କଷ୍ଟକର ହେବ ବୋଲି କହିଛନ୍ତି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ର ଉପସଭାପତି ନିତେଶ ବଂଶଲ। ମଣ୍ଡି ଖୋଲିବାକୁ ଆଉ ଅଳ୍ପ କେଇଦିନ ବାକି ଥିବାବେଳେ ଚାଷୀ, ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ମତଭେଦ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଚାଷୀଙ୍କ ଅମଳ ଧାନ କେତେ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ବିକ୍ରି ହୋଇପାରିବ, ତାହା ଏବେ ବଡ଼ ପ୍ରଶ୍ନ।
