ସୁଜାତା ସାଧାରଣ କର୍ମୀ, ମୁଁ ହିଁ ନେବି ନେତୃତ୍ୱ- ନବୀନ
ଶଙ୍ଖ ଭବନରେ ମହାପ୍ରଭୂ ଜଗନ୍ନାଥ ଓ ଗଣେଶଙ୍କୁ ମୁଣ୍ଡିଆ ମାରି ପଶିଥିଲେ। ଆଉ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଦଳୀୟ କର୍ମୀ। ଆଉ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ଆଉ ଆସନ୍ତା ନିର୍ବାଚନରେ ନବୀନ ହିଁ ଦଳର ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସୁଜାତା ସାଧାରଣ କର୍ମୀ।

ସବୁ କଳ୍ପନାଜଳ୍ପନାର ହେଲା ଅନ୍ତ। ଆଇଏଏସ ଚାକିରୀ ଛାଡ଼ିଥିବା ସୁଜାତା କାର୍ତ୍ତିକେୟନ ଆଜି ବିଜେଡିରେ ବିଧିବଦ୍ଧ ହେଲେ ସାମିଲ୍। ଶଙ୍ଖଭବନରେ ସୁଜାତା ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ। ଶଙ୍ଖ ଭବନରେ ମହାପ୍ରଭୂ ଜଗନ୍ନାଥ ଓ ଗଣେଶଙ୍କୁ ମୁଣ୍ଡିଆ ମାରି ପଶିଥିଲେ। ଆଉ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଦଳୀୟ କର୍ମୀ। ଆଉ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ସୁଜାତା ଦଳରେ ମିଶିବା ଆଗରୁ ଦଳର ବରିଷ୍ଠ ନେତା, ସାଂସଦ ଓ ବିଧାୟକଙ୍କ ସହ ନବୀନ ସାଂଗଠନିକ ବ୍ୟାପାର ଉପରେ କରିଥିଲେ ଆଲୋଚନା। ଆଉ ଏହି ବୈଠକ ପରେ ସୁଜାତା ଶଙ୍ଖ ଧରିଥିଲେ। ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ଓଡ଼ିଆ ଝିଅ ସୁଜାତା ରାଉତ ୨୦୦୦ ବ୍ୟାଚର ଆଇଏଏସ ଅଫିସର। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଓ ଜେଏନୟୁରୁ ଇଣ୍ଟରନାସନାଲ ପଲିଟିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଜଣେ ଦକ୍ଷ ପ୍ରଶାସିକା ଭାବେ ତାଙ୍କର ବେଶ୍ ସୁନାମ ଅଛି। ବିଜେଡି ସରକାର ସମୟରେ ସେ ମିଶନଶକ୍ତି କାର୍ଯ୍ୟକ୍ରମକୁ ବହୁ ଆଗକୁ ନେଇଥିଲେ। ମିଶନଶକ୍ତି ହିଁ ବିଜେଡିକୁ ଜିତାଇବାର ମୁଖ୍ୟ ଭୋଟବ୍ୟାଙ୍କ୍ ଥିଲା। କାରଣ ୭୦ଲକ୍ଷ ମହିଳାଙ୍କୁ ସାମିଲ୍ କରାଯାଇଥିଲା। ମାର୍ଚ୍ଚ ୧୩, ୨୦୨୫ରେ ସେ ଚାକିରୀରୁ ସ୍ୱେଛାକୃତ ଅବସର ନେଇଥିଲେ। ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନ ନିଜକୁ ଦାୟୀ କରି ରାଜନୀତିରୁ ସନ୍ୟାସ ନେଇଗଲେ ବୋଲି ଘୋଷଣା କରିଥିଲେ। ଏହା ପରେ ଦଳରେ ବିବାଦ, ବିଦ୍ରୋହ ଓ ବିଭାଜନର ସ୍ୱର ଉଠିଥିଲା। ଯୁବ, ବରିଷ୍ଠ ଘନଘନ ମେଳି କରି ବୈଠକ କରିଥିଲେ। ପାଣ୍ଡିଆନଙ୍କ ଲାଗି ଦଳ ହାରିଲା। ନବୀନ ତାଙ୍କୁ ସବୁଠି ଆଗରେ ରଖି ନିର୍ବାଚନ ପ୍ରଚାର କରିବାରୁ ଦଳ ହାରିଲା ବୋଲି ସିଧାସଳଖ କହିବାକୁ ଲାଗିଲେ। ଏପରିକି ନବୀନ ନିବାସରେ ପାଣ୍ଡିଆନ ଗୋ-ବ୍ୟାକ୍ ନାରା ବି ପ୍ରଥମ ଥର ଶୁଭିଥିଲା। ଏତେ ସତ୍ତ୍ୱେ ବି ପାଣ୍ଡିଆନଙ୍କୁ ସବୁବେଳେ କ୍ଲିନଚିଟ୍ ଦେଇଆସୁଛନ୍ତି ନବୀନ। ଦଳୀୟ ପାଣ୍ଠି ହେରଫେର ନେଇ ଦିଲ୍ଲୀରେ ହୋଇଥିବା ଟ୍ରଷ୍ଟକୁ ନେଇ ବି ପାଣ୍ଡିଆନଙ୍କ ଆଡ଼କୁ ଉଠିଥିଲା ଅଙ୍ଗୁଳି। ଏହାକୁ ବି ପରବାୟ କଲେନି ନବୀନ। ଏବେ ଦେଖିବାର କଥା। ଯେଉଁମାନେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ, ସୁଜାତାଙ୍କ ଦଳରେ ଏଣ୍ଟ୍ରି ପରେ ସେମାନଙ୍କ ମତିଗତି କୁଆଡ଼େ ରହିବ। ଏମିତିରେ ଦଳରେ ନ ଥାଇ ବି ଦଳୀୟ ବ୍ୟାପାରରେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଚାଲିଆସିଛି ବୋଲି ଅନେକ ତୁଙ୍ଗ ନେତା କହିଥିଲେ। ଏଭଳି ଦଳର ପରିଚାଳନାକୁ ନେଇ ସେମାନେ ଅସନ୍ତୁଷ୍ଟ ଥିଲେ।
