ନବୀନଙ୍କ ନେତୃତ୍ୱ : ସୁଜାତା ଇନ୍- ବବି ଆଉଟ୍!
ପ୍ରଥମ ଥର ନବୀନ ନିବାସରେ ପାଣ୍ଡିଆନ ଗୋ-ବ୍ୟାକ୍ ନାରା ଶୁଭିଲା। ବିଜେପି ଯେଉଁଠି ଶାସନକୁ ଆସିଛି, ସେଠି ବିରୋଧୀଙ୍କୁ କଳବଳେ ଫଟାଇଛି। ଏଭଳି ଗତିବିଧି ଓ ହାବଭାବକୁ ବେଶ୍ ବୁଝିଛନ୍ତି ନବୀନ। ସେଥିଲାଗି ପାଣ୍ଡିଆନଙ୍କୁ ବ୍ୟାକ୍ କରାଇବା ବଦଳରେ ସୁଜାତାଙ୍କୁ ଦଳରେ ମିଶାଇ ପୁଣି ଥରେ ସାଂଗଠନିକ ସଂରଚନା ଓ ଦଳକୁ ଏକାଠି କରିବାର ବେଳ ଆସିଛି ବୋଲି ହୃଦବୋଧ କରିଥିଲେ ନବୀନ। ଶଙ୍ଖ ଭବନକୁ ଆସିଲେନି ବବି, ବଦ୍ରି କି ରାଜା ସ୍ୱାଇଁ।

କାହିଁକି ଲୋଡ଼ା ପଡ଼ିଲେ ସୁଜାତା। ଏକଥା ବେଶ ଦୀର୍ଘଦିନ ହେଲା ବିଜେଡି ଓ ରାଜନୈତିକ ମହଲକୁ ଆନ୍ଦୋଳିତ କରିଆସୁଥିଲା। ଆଜି ଶଙ୍ଖଭବନରେ ଯାହାର ଜବନିକା ପକାଇଛନ୍ତି ନବୀନ। ତେବେ ପଡ଼ୋଶୀ ରାଜ୍ୟରେ ବିରୋଧୀଙ୍କ କି ଅବସ୍ଥା, ବୋଧହୁଏ ଏହାକୁ ପରଖି ବେଳ ଥାଉଁ ଥାଉଁ ନବୀନ ନିଷ୍ପତ୍ତି ନ ନେଇଥିଲେ ଦଳ ବଡ଼ ବିଭାଜନମୁହାଁ ହେବାକୁ ବସିଥାଆନ୍ତା। ଏ ଆଶଙ୍କା ବି ନିଇତି ଘାରୁଥିଲା ବିଜେଡି ସୁପ୍ରିମୋଙ୍କୁ। ଏଇ ଯେମିତି ପଶ୍ଚିମବଙ୍ଗରେ ନିର୍ବାଚନୀ ବିପର୍ଯ୍ୟୟ ପରେ ବିବାଦ, ବିଦ୍ରୋହ ଓ ବିଭାଜନରେ ଦୋହଲିସାରିଲାଣି ଟିଏମସି। ଏପରିକି ଦଳର ସୁପ୍ରିମୋଙ୍କ ପାଓ୍ୱାରକୁ ଛଡ଼ାଇନେଲେ ବିଦ୍ରୋହୀ ଗୋଷ୍ଠୀ। ଦଳର ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇଦେଲେ। ଯଦି ମମତା ଦଳର ପରାମର୍ଶଦାତା ଭାବେ ରହିବେ, ସେଥିରେ କାହାରି ଆପତ୍ତି ରହିବନି ବୋଲି ଦଳର ସ୍ୱତନ୍ତ୍ର ଅଧିବେଶନ ଡାକି ଘୋଷଣା କରିଥିଲେ ରିତବ୍ରତ ବାନାର୍ଜୀ। ରିତବ୍ରତ ହେଉଛନ୍ତି ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା। ହେଲେ ରିତବ୍ରତଙ୍କ ବଦଳରେ ମମତା ଆଉ ଜଣଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇବାକୁ ଚାହିଁବାରୁ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ରିତବ୍ରତଙ୍କ ନେତୃତ୍ୱରେ ଦଳରେ ବିଦ୍ରୋହ ହୋଇଥିଲା। ଦଳର ସାଂଗଠନିକ କଥାର ଗୁରୁଭାର ଥିବା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବି ଦଳରୁ ତଡ଼ିଦିଆଯାଇଛି। ସଂଗଠନ ମହାସଚିବ ଥିଲେ ଅଭିଷେକ। ଏବେ ଅସଲ ଓ ନକଲି ଟିଏମସି କିଏ। ସର୍ବୋପରି ଟିଏମସିର ଅସ୍ତିତ୍ୱ ପୁରା ସଂକଟରେ। କାରଣ ବିଧାନସଭାରେ ବିଦ୍ରୋହ ସାଙ୍ଗକୁ ସଂସଦରେ ଟିଏମସିର ଶକ୍ତିକୁ ହରଣ କରିନିଆଯାଇଛି। ୨୮ ଲୋକସଭା ସାଂସଦଙ୍କ ଭିତରୁ ୨୦ ସାଂସଦ ଦଳରେ ବିଦ୍ରୋହ କରି ଏନସିପିଆଇରେ ବିଲୟ ହୋଇଗଲେ। କାକୋଳି ଘୋଷ ଏହାର ଲିଡ୍ ନେଇଥିଲେ। ଆଉ ଏହି ୨୦ ସାଂସଦ ଏନଡିଏକୁ ଖୋଲା ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି। ଦଳର ଅସ୍ତିତ୍ୱ ଓ ଦଳର ନେତୃତ୍ୱ ଉଭୟ ଏବେ ସଂକଟରେ। ମହାରାଷ୍ଟ୍ରରେ ବିଭାଜନ ତତ୍ତ୍ୱ ବି ଏଭଳି ଉଗ୍ର ହୋଇଉଠିଛି। ଉଦ୍ଧବ ସେନାକୁ ପୁଣି ଥରେ ଭାଙ୍ଗିଦେଲେ ଏକନାଥ ସିନ୍ଦେ। ଉଦ୍ଧବଙ୍କ ୯ ସାଂସଦଙ୍କ ଭିତରୁ ୬ ସାଂସଦ ଦଳରେ ବିଦ୍ରୋହ କରି ସିନ୍ଦେ ଗୋଷ୍ଠୀରେ ସାମିଲ୍ ହୋଇସାରିଲେଣି। ମହାରାଷ୍ଟ୍ରରେ ଉଦ୍ଧବ ଓ ସିନ୍ଦେଙ୍କ ଭିତରେ ଅସଲ ଶିବସେନାକୁ ନେଇ ଆଇନଗତ ଲଢ଼େଇ ହୋଇଥିଲା। ହେଲେ ବାଜି ମାରିନେଲେ ସିନ୍ଦେ। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଏସବୁ ଖେଳ ଅମିତ ଶାହା କରୁଛନ୍ତି ବୋଲି ଆକ୍ଷେପ ଲଦିଛନ୍ତି ବିରୋଧୀ। ବଙ୍ଗରେ ଦିଦିଙ୍କ ଟିଏମସି ଓ ମହାରାଷ୍ଟ୍ରରେ ଉଦ୍ଧବଙ୍କ ଶିବସେନା(ୟୁବିଟି)ର ଅସ୍ତିତ୍ୱ ସଂକଟ ଏବେ ଚରମସୀମାରେ। କାରଣ ବିଧାନସଭାକୁ ନିର୍ବାଚିତ ହୋଇ ଯାଇପାରିନାହାନ୍ତି ଦିଦି କି ଉଦ୍ଧବ। ମମତା ନିଜ ପାରମ୍ପରିକ ଆସନ ନନ୍ଦିଗ୍ରାମରୁ ହାରିଗଲେ। ଆଉ ବିଧାନସଭାକୁ ବାଟ ବନ୍ଦ ହୋଇଗଲା। ବଙ୍ଗ ଓ ମହାରାଷ୍ଟ୍ରରେ ଏଭଳି ଖେଳ ଚାଲିଥିଲା ବେଳେ ଓଡ଼ିଶାରେ ବିଜେଡିର ଚିତ୍ର ଓ ଚରିତ୍ରର ଦୃଶ୍ୟପଟ୍ଟ ଟିକେ ଭିନ୍ନ। ହେଲେ କୌଣସି ମୂହୂର୍ତ୍ତରେ ଦଳ ଭିତରେ ବଡ଼ ବିସ୍ଫୋରଣର ଆଶଙ୍କା ସବୁବେଳେ ମାଡ଼ିବସିଛି। କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିନା ପାରମ୍ପରିକ ଆସନ ହିଞ୍ଜିଳିରୁ ଅଳ୍ପକେ ହାରୁ ହାରୁ ଜିତିଗଲେ। ହେଲେ କଣ୍ଟାବାଞ୍ଜିରେ ହାରିଗଲେ। ଦଳର ଅସଲ କ୍ଷମତାକେନ୍ଦ୍ର କୁହାଯାଉଥିବା ପାଣ୍ଡିଆନ ବି ଦଳର ବିପର୍ଯ୍ୟୟ ପରେ ଦେଇଥିବା କଥା ମୁତାବକ ରାଜନୀତିରୁ ସନ୍ୟାସ ନେଇଗଲେ। ଏହି ଘୋଷଣା ପରେ ଆଗ ଦଳ ଭିତରେ ସଂସଦରୁ ଆରମ୍ଭ ହେଲା ବିଦ୍ରୋହ ଓ ବିଭାଜନର ଥିଓରୀ। ଆଗ ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡ଼ିଲେ। ପୁଣି ବିଜେପିରୁ ଗଲେ। ତାଙ୍କ ପଥ ଅନୁସରଣ କଲେ ସୁଜିତ କୁମାର ଓ ଦେବାଶୀଷ ସାମନ୍ତରାୟ। ବିଧାନସଭାରେ ବି ସମାନ ଫର୍ମୁଲା। ରାଜ୍ୟସଭା ନିର୍ବାଚନରେ ୮ ବିଜେଡି ବିଧାୟକ ନବୀନଙ୍କ ନିଷ୍ପତ୍ତିକୁ ବେଖାତିର କରି କ୍ରସଭୋଟିଂ କଲେ। ଦିଲ୍ଲୀପ ରାଏଙ୍କୁ ସମର୍ଥନ କରି ନବୀନଙ୍କ ୨୪ ବର୍ଷ ତଳର ଘାଆକୁ ପୁଣି ଉଖାରିଥିଲେ। କାରଣ ୨୪ ବର୍ଷ ତଳେ ନବୀନଙ୍କ ନିଷ୍ପତ୍ତିକୁ ବିରୋଧ କରି ସ୍ୱାଧୀନରେ ଛିଡ଼ା ହୋଇ ଦିଲ୍ଲୀପ ରାଜ୍ୟସଭାକୁ ଯାଇଥିଲେ। ଏହାକୁ ତାଳ ଦେଇ ଦଳ ଭିତରେ ବରିଷ୍ଠ ଓ ଯୁବ ମେଳି ନବୀନଙ୍କୁ ଅଧିକ ବିଚଳିତ କରିଦେଇଥିଲା। କିଏ ଛୁଟି ଭାକେସନ ନାଁରେ ହାଇଦ୍ରାବାଦରେ ଭେଟିଥିଲେ ତ କିଏ ଦଳକୁ ସଂଗଠିତ ନାଁରେ ତାରକା ହୋଟେଲରେ ମେଳି ବାନ୍ଧିଥିଲେ। ଶେଷରେ ନବୀନ ସମସ୍ତଙ୍କୁ ଅପିଲ କରିଥିଲେ, ଯାହାର ବୈଠକ କରିବାର ଅଛି, ଶଙ୍ଖଭବନରେ କରନ୍ତୁ। ନଚେତ ଦଳ ପ୍ରତି ନକରାତ୍ମକ ବାର୍ତ୍ତା ଯାଉଛି ବାହାରକୁ। ପ୍ରଥମ ଥର ନବୀନ ନିବାସରେ ପାଣ୍ଡିଆନ ଗୋ-ବ୍ୟାକ୍ ନାରା ଶୁଭିଲା। ବିଜେପି ଯେଉଁଠି ଶାସନକୁ ଆସିଛି, ସେଠି ବିରୋଧୀଙ୍କୁ କଳବଳେ ଫଟାଇଛି। ଏଭଳି ଗତିବିଧି ଓ ହାବଭାବକୁ ବେଶ୍ ବୁଝିଛନ୍ତି ନବୀନ। ସେଥିଲାଗି ପାଣ୍ଡିଆନଙ୍କୁ ବ୍ୟାକ୍ କରାଇବା ବଦଳରେ ସୁଜାତାଙ୍କୁ ଦଳରେ ମିଶାଇ ପୁଣି ଥରେ ସାଂଗଠନିକ ସଂରଚନା ଓ ଦଳକୁ ଏକାଠି କରିବାର ବେଳ ଆସିଛି ବୋଲି ହୃଦବୋଧ କରିଥିଲେ ନବୀନ। କାରଣ ବିଜେଡି ସଂଗଠନ ବୁଝୁଥିବା ବବିଙ୍କ ଉପରେ ବି ପୂର୍ବଭଳି ନବୀନଙ୍କ ଆଉ ଭରସା ପାଉନି। ବବି-ପାଣ୍ଡିଆନ ଯୋଡ଼ି ହିଁ ବିଜେପିକୁ ଓଡ଼ିଶାରେ ଅନାୟାସରେ କ୍ଷମତା ଟେକିଦେଲେ ବୋଲି ବିଜେଡିର ବଡ଼ ଗୋଷ୍ଠୀର ଦାବି। ସେଥିଲାଗି ଅନେକ ବରିଷ୍ଠ ସୁଜାତାଙ୍କ ଏଣ୍ଟ୍ରିକୁ ବି ବିରୋଧ କରୁଥିଲେ। ଦଳୀୟ ପରିଚାଳନା ସକାଶେ ନବୀନ ଆଗ ଭଳି ନିଜ ହାତରେ ନେତୃତ୍ୱ ରଖନ୍ତୁ। ଆଉ କେହି ହାଇଜାକ୍ କରିନିଅନ୍ତୁନି ବୋଲି ବିଭିନ୍ନ ପ୍ଲାଟଫର୍ମରେ କହିଆସୁଥିଲେ। ଶେଷରେ ସୁଜାତାଙ୍କୁ ସାଧାରଣକର୍ମୀ ଭାବେ ଆଜି ଦଳରେ ମିଶାଇ ବିଜେଡି ଶିବିରକୁ ନବୀନ ସ୍ପଷ୍ଟ ସଙ୍କେତ ଦେଲେ ଯେ, ସେ ହିଁ ୨୦୨୯ ନିର୍ବାଚନର ନେତୃତ୍ୱ ନେବେ। ହେଲେ ପାଣ୍ଡିଆନ ଦଳରେ ନଥାଇ ବି ସେ ନବୀନଙ୍କ ଲାଗି ସବୁ କିଛି ବୋଲି କର୍ମୀଙ୍କଠୁ ନେଇ ନେତାଙ୍କ ଯାଏ ସମସ୍ତଙ୍କୁ ଜଣା। ଆଉ ଏଭଳି ସ୍ଥିତିରେ ଆଜିକା ଦିନରେ ଅନେକ ପାଣ୍ଡିଆନଙ୍କ ଗୁଣଗାନ କରୁଥିଲା ବେଳେ ବବିଙ୍କ ବିରୁଦ୍ଧରେ ବିଷୋଦଗାର କରି ଭିନ୍ନ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି ଦଳ ଭିତରେ। ହେଲେ ନବୀନଙ୍କ ଆଖି କାନ କୁହାଯାଉଥିବା ବବି-ପାଣ୍ଡିଆନ ଯୋଡ଼ିଙ୍କ କରାମତି ପୂର୍ବଭଳି ରହିବ ବୋଲି ବି ଚର୍ଚ୍ଚା ହେଉଛି। କାରଣ ସୁଜାତାଙ୍କୁ ବିଜେଡି କର୍ମୀ କେତେଦୂର ଗ୍ରହଣ କରୁଛନ୍ତି। ତାକୁ ନେଇ ୨୪ ନିର୍ବାଚନ ପୂର୍ବରୁ ବିଜେଡି ଚତୁରତାର ସହ ସୋସିଆଲ ମିଡିଆରେ ପ୍ରଶ୍ନ ପଚାରି ସମର୍ଥନକୁ ପରଖୁଥିଲା। ଆଉ ସୁଜାତାଙ୍କ ଦଳରେ ଏଣ୍ଟ୍ରିକୁ ନେଇ ପୁରା କଳବଳ ଆରମ୍ଭ କରିଥିଲେ ବବି। ପ୍ରଛଦପଟ୍ଟରେ ଥିଲେ ପାଣ୍ଡିଆନ୍।
