Gold Mine Collapse: ସୁଦାନରେ ସୁନା ଖଣି ଧସି ୬୦ ଶ୍ରମିକଙ୍କ ମୃତ୍ୟୁ
ସୁଦାନର ୱେଷ୍ଟ କର୍ଡୋଫାନ୍ ଅଞ୍ଚଳରେ ସୁନା ଖଣି ଧସି ୬୦ ଶ୍ରମିକଙ୍କ ମୃତ୍ୟୁ। ଅନେକ ଶ୍ରମିକ ନିଖୋଜ ଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି।

ସୁଦାନର ୱେଷ୍ଟ କର୍ଡୋଫାନ୍ ଅଞ୍ଚଳରେ ଏକ ବଡ଼ ସୁନା ଖଣି ଧସିପଡ଼ିବାରୁ ୬୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅଲ୍-ନୁହୁଦ ସହର ନିକଟସ୍ଥ ଅଲ୍-ଜାରା ସୁନା ଖଣିରେ ରବିବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଖଣିର ଏକ ଅଂଶ ଧସିପଡ଼ିବା ପରେ ଉଦ୍ଧାରକାରୀ ଦଳ ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ବୁଧବାର ସୁଦ୍ଧା ୬୦ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଖଣିର ଭଗ୍ନାବଶେଷ ତଳେ ଆହୁରି ଅନେକ ଶ୍ରମିକ ଫସିଥିବା ଆଶଙ୍କା ରହିଛି। ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଶ୍ରମିକ ମଧ୍ୟ ଖଣି ଭିତରେ ଆହୁରି ଲୋକ ଫସିଥିବା ସୂଚନା ଦେଇଛନ୍ତି। ଧ୍ୱଂସାବଶେଷ ହଟାଇ ନିଖୋଜ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ସୁଦାନରେ ୨୦୨୩ ଏପ୍ରିଲ୍ରୁ ସୁଦାନୀ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସେସ୍ (RSF) ମଧ୍ୟରେ ଗୃହଯୁଦ୍ଧ ଚାଲିଛି। ଏହି ସଂଘର୍ଷ ଦେଶର ଅର୍ଥନୀତି ଓ ଖଣିଜ ସମ୍ପଦ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ସୁଦାନର ସୁନା ଶିଳ୍ପକୁ ନେଇ ଯୁଦ୍ଧର ଅର୍ଥଯୋଗାଣ ସହ ସମ୍ପର୍କ ଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଦୀର୍ଘସ୍ଥାୟୀ ସଂଘର୍ଷ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ଖାଦ୍ୟ, ଆଶ୍ରୟ ଓ ସୁରକ୍ଷା ସଙ୍କଟ ମଧ୍ୟ ଗଭୀର ହୋଇଛି। ସୁଦାନ ବର୍ତ୍ତମାନ ବିଶ୍ୱର ଅନ୍ୟତମ ବଡ଼ ମାନବିକ, ଖାଦ୍ୟ ଓ ବିସ୍ଥାପନ ସଙ୍କଟର ସମ୍ମୁଖୀନ। ଏହି ପରିସ୍ଥିତି ମଧ୍ୟରେ ସୁନା ଖଣି ଧସିବା ଘଟଣା ଦେଶର ସଙ୍କଟଗ୍ରସ୍ତ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଛି।
