Tractor Subsidy Scam: ଟ୍ରାକ୍ଟର ନାଁରେ ଖାଇଗଲେ ଚାଷୀଙ୍କ ସବସିଡି ଟଙ୍କା!
କଟକ ସାଲେପୁରରେ ରିହାତି ଟ୍ରାକ୍ଟର ଯୋଗାଇବା ନାଁରେ ଚାଷୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ମଧୁପଟଣା ଥାନାରେ ଅଭିଯୋଗ, ତଦନ୍ତ କରିବ କୃଷି ବିଭାଗ।
ସାଲେପୁର: ଚାଷୀଙ୍କ ପାଇଁ ସରକାରୀ ଯୋଜନା ପାଲଟିଲା କି ଠକେଇର ମାଧ୍ୟମ? ରିହାତି ଦରରେ ଟ୍ରାକ୍ଟର ଯୋଗାଇଦେବାର ପ୍ରଲୋଭନ ଦେଖାଇ ଚାଷୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ। କୃଷି ବିଭାଗର ଅନୁମତି ଥିବା କହି ଏକ ଏଜେନ୍ସି ଚାଷୀଙ୍କୁ ରିହାତି ମୂଲ୍ୟରେ ଟ୍ରାକ୍ଟର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଜେନ୍ସିର ପ୍ରତିଶ୍ରୁତିକୁ ବିଶ୍ୱାସ କରି ଏକାଧିକ ଚାଷୀ ଟଙ୍କା ଜମା କରିଥିଲେ। ଏପରିକି କିଛି ଚାଷୀ ଟ୍ରାକ୍ଟର ମଧ୍ୟ କିଣିଥିଲେ। ହେଲେ ଅଭିଯୋଗ ଅନୁଯାୟୀ, ଟ୍ରାକ୍ଟରର ପ୍ରକୃତ ମୂଲ୍ୟଠାରୁ ଏଜେନ୍ସି ଅଧିକ ଟଙ୍କା ନେଇଥିବା ବେଳେ ସବସିଡି ବାବଦରେ ମିଳିବାକୁ ଥିବା ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ହଡ଼ପ କରିଛି। ଫଳରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ହରାଇ ଏବେ ଚିନ୍ତାରେ ଚାଷୀ। ଏହି ଘଟଣାକୁ ନେଇ ଅଭିଯୋଗକାରୀ ଚାଷୀ ଦୁର୍ଗା ଚରଣ ପ୍ରଧାନ ଓ ମହମ୍ମଦ ରହିମଙ୍କ ସମେତ ଅନ୍ୟ ଚାଷୀମାନେ କଟକ ମଧୁପଟଣା ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ସାଲେପୁର କୃଷି ଜିଲ୍ଲା ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଟଙ୍କା ଫେରସ୍ତ ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ସାଲେପୁର ବ୍ଲକ୍ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ସେଠୀ କହିଛନ୍ତି, ଚାଷୀଙ୍କ ଅଭିଯୋଗକୁ ନେଇ ତଦନ୍ତ କରାଯିବ। ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ ସମ୍ପୃକ୍ତ ଏଜେନ୍ସିକୁ କଳା ତାଲିକାଭୁକ୍ତ କରାଯିବ। ତେବେ ସରକାରୀ ରିହାତିର ଆଶା ଦେଖାଇ ଚାଷୀଙ୍କୁ ଠକେଇ ହୋଇଥିବା ଏହି ଅଭିଯୋଗର ସତ୍ୟାସତ୍ୟ କେବେ ସାମ୍ନାକୁ ଆସିବ? ଚାଷୀଙ୍କ କଷ୍ଟ ଉପାର୍ଜିତ ଟଙ୍କା କେବେ ଫେରିବ? ଏବେ ତଦନ୍ତ ଓ ପ୍ରଶାସନିକ ପଦକ୍ଷେପକୁ ଅପେକ୍ଷା।
