Subhadra Yojana: ସୁଭଦ୍ରା ଯୋଜନା ୨ ବର୍ଷ ପୂର୍ତ୍ତି: ଦୀପ ଜାଳିବେ ମହିଳା
ଆସନ୍ତାକାଲି ସୁଭଦ୍ରାକୁ ପୂରିବ ଦୁଇ ବର୍ଷ। ଭବ୍ୟ ଦିବ୍ୟ ଢଙ୍ଗ ରେ ହେବ ପାଳନ । ସନ୍ଧ୍ୟା ୬.୩୦ରେ ଘରେ ଘରେ ଦୀପ ଜାଳିବେ ମହିଳା। ଏପ୍ରିଲରେ ପୁଣି ଖୋଲିବ ପୋର୍ଟାଲ।
ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ପୂରିବ ଦୁଇ ବର୍ଷ। ଏହି ଅବସରରେ ଆସନ୍ତାକାଲି ସେପ୍ଟେମ୍ବର ୧୭ରେ ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂର୍ତ୍ତି ପାଳନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସେବା ଓ ସଂକଳ୍ପକୁ ସମ୍ମାନ ଜଣାଇ ଆସନ୍ତାକାଲି ସଂଧ୍ୟା ୬.୩୦ରେ ଘରେ ଘରେ ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପ୍ଟେମ୍ବର ୧୭, ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ପ୍ରାୟ ୨୫ ହଜାର ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏହି ଯୋଜନା ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଥିବା ସରକାର ପକ୍ଷରୁ କୁହାଯାଇଛି। ଯୋଜନା ମାଧ୍ୟମରେ ୨୬ ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋଗପତି ହୋଇଥିବା ଦାବି କରାଯାଇଛି। ଚଳିତ ବର୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇ ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି।
ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁକ୍ତେଶ୍ୱର ମନ୍ଦିରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିସହ ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଓ ଅଙ୍ଗନବାଡ଼ି କାର୍ଯ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମ ହେବ। ରାଜ୍ୟର ୩୩୮ଟି ସ୍ଥାନରେ ପ୍ରତିଯୋଗିତା ଓ ସେଲିବ୍ରେସନ ଆୟୋଜନ କରାଯିବ।
ଏପ୍ରିଲ-ମେ’ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
ଅନ୍ଯପଟେ, ନୂଆ ହିତାଧିକାରୀଙ୍କ ପାଇଁ ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭରୁ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବ। ଏପ୍ରିଲରୁ ମେ ମାସ ମଧ୍ୟରେ ପୋର୍ଟାଲ ଖୋଲା ରହିବ। ୨୧ ବର୍ଷ ବୟସ ପୂରଣ କରିଥିବା ମହିଳାମାନେ ଆବେଦନ କରିପାରିବେ। ଅନ୍ୟପକ୍ଷରେ, ଆଇଟି ରିଟର୍ଣ୍ଣ କିମ୍ବା ଜମି ପଞ୍ଜିକରଣ ସମ୍ପର୍କିତ କାରଣରୁ ଯେଉଁ ହିତାଧିକାରୀମାନେ ବାଦ ପଡ଼ିଛନ୍ତି, ସେମାନଙ୍କ ତଥ୍ୟ ଯାଞ୍ଚ କରାଯିବ। ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ କମିଟିର ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ପୁଣି ସାମିଲ କରାଯାଇପାରିବ। ଏନେଇ ବ୍ଲକ ଓ ଜିଲ୍ଲା କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
