Students Election: ପ୍ରଥମ ଭୋଟ ଦେଇ ଖୁସି ଛାତ୍ରଛାତ୍ରୀ, ବିକାଶମୁଖୀ ନେତୃତ୍ୱକୁ ଗୁରୁତ୍ୱ
ଧରଣୀଧର ବିଶ୍ୱବିଦ୍ୟାଳୟରେ ପ୍ରଥମ ଛାତ୍ର ସଂସଦ ନିର୍ବାଚନ। ଭୋଟ ଦେବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ।
କେନ୍ଦୁଝର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ଛାତ୍ର ସଂସଦ ନିର୍ବାଚନ। ନିଜର ମତାଧିକାର ସାବ୍ୟସ୍ତ କରିବାକୁ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଅନ୍ୟପଟେ ଧରଣୀଧର ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ସମେତ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟରେ ମଧ୍ୟ ଚାଲିଛି ମତଦାନ। ଦୀର୍ଘ ୮ ବର୍ଷ ପରେ ଭୋଟ ଦେବାର ସୁଯୋଗ ପାଇ ଛାତ୍ରଛାତ୍ରୀ ବେଶ୍ ଖୁସି ଅନୁଭବ କରୁଛନ୍ତି। ବିଶେଷକରି ନିଜ ଜୀବନର ପ୍ରଥମ ଭୋଟ ଦେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛି ଅଧିକ ଉତ୍ସାହ। କେବଳ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଜିତାଇବା ନୁହେଁ, ବରଂ କଲେଜର ବିକାଶ, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ସେମାନଙ୍କ ଅଧିକାରର ସୁରକ୍ଷା ଏବଂ ଛାତ୍ରୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିପାରୁଥିବା ପ୍ରତିନିଧିଙ୍କୁ ବାଛିବା ଉପରେ ରହିଛି ଭୋଟରଙ୍କ ଗୁରୁତ୍ୱ। ମହିଳା ମହାବିଦ୍ୟାଳୟରେ ଅନେକ ସମସ୍ୟା ରହିଥିବା ବେଳେ ଉପଯୁକ୍ତ ଛାତ୍ର ନେତୃତ୍ୱ ଅଭାବରୁ ସେଗୁଡ଼ିକର ସମାଧାନ ହୋଇପାରୁନଥିବା କହିଛନ୍ତି ଛାତ୍ରୀମାନେ। ଏବେ ନିର୍ବାଚିତ ହେବାକୁ ଥିବା ଯୁବ ନେତୃତ୍ୱ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହ କଲେଜର ବିକାଶ ଦିଗରେ କାମ କରିବେ ବୋଲି ଆଶା ରଖିଛନ୍ତି।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୯ରୁ ଅଧିକ ବୁଥ୍ ଏବଂ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟରେ ୧୫ଟି ବୁଥ୍ରେ ମତଦାନ ବ୍ୟବସ୍ଥା ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଛାତ୍ରଛାତ୍ରୀଙ୍କ ଉତ୍ସାହ, ନିଜ ଅଧିକାର ପ୍ରତି ସଚେତନତା ଏବଂ ଉନ୍ନତ କ୍ୟାମ୍ପସ ଗଠନର ଆଶା ମଧ୍ୟରେ ଜାରି ରହିଛି ଛାତ୍ର ସଂସଦ ନିର୍ବାଚନ। ଏବେ ନୂଆ ନେତୃତ୍ୱ କ୍ୟାମ୍ପସର ସମସ୍ୟା ସମାଧାନ ଓ ବିକାଶ ଦିଗରେ କେତେ ସଫଳ ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।
