ଟଙ୍କା ଲୁଟ୍ ପାଇଁ ପ୍ରିନ୍ସିପାଲଙ୍କୁ ୨୭ଥର ଭୁଷିଲେ ଦଶମ ଛାତ୍ର
ଆକ୍ରମଣର ଠିକ୍ ପୂର୍ବରୁ ତାଙ୍କ ଫୋନରେ ଶେଷ କଲରେ ବାବୁ ଶବ୍ଦ ଶୁଣି ପୁଲିସକୁ ଏହି ମାମଲାର ଖିଅ ଖୋଜିବାକୁ ସାହାଯ୍ୟ କଲା। ଫୋନରେ ଶେଷ ଶବ୍ଦ ବାବୁ ବୋଲି କହିଥିଲେ ରୂପା। ରୂପା ନିଜ ଛାତ୍ରଙ୍କୁ ବାବୁ ବୋଲି ଡାକିଥାଆନ୍ତି। ଏହି ଶବ୍ଦ ଶୁଣି ତଦନ୍ତକାରୀ ଅଧିକାରୀଙ୍କ ଧ୍ୟାନ ସ୍କୁଲ ଆଡ଼କୁ ମୁହାଁଇଥିଲା

ମହିଳା ପ୍ରିନ୍ସିପାଲଙ୍କୁ ୨୭ଥର ଛୁରୀ ଭୁଷିଲେ। ୫ଶହ ଟଙ୍କିଆ ନୋଟ୍ ଉପରେ ମିଳିଥିଲା ରକ୍ତର ଛିଟା। ବାବୁ ଶବ୍ଦରୁ ହିଁ ଖୋଲିଲା ମୃତ୍ୟୁର ରହସ୍ୟ। ଅଭିଯୁକ୍ତ ଆଉ କେହି ନୁହେଁ। ଦୁଇ ଜଣ ଦଶମ ଛାତ୍ର। ଅଭିଯୁକ୍ତଙ୍କ ପାଖରୁ ୧.୫୪ଲକ୍ଷ ଟଙ୍କା, ଗୋଟିଏ ଆଇ-ଫୋନ୍, ଛୁରୀ, ମାସ୍କ ଓ ମୋବାଇଲ ଫୋନ୍ ସିଜ୍ ହୋଇଛି। ୫ଶହ ଟଙ୍କିଆ ନୋଟରେ ରକ୍ତର ଛାପ ଦେଖିବାକୁ ମିଳିଛି। ତେଲେଙ୍ଗାନାର ନଲଗୋଣ୍ଡାରେ ମହିଳା ସ୍କୁଲ ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କ ହତ୍ୟା ମାମଲା ଉପରୁ ରହସ୍ୟ ଉଠାଇଛି ପୁଲିସ। ଟଙ୍କା ପାଇଁ ଦଶମର ଦୁଇ ଛାତ୍ର ଏଭଳି କାଣ୍ଡ ଭିଆଇଲେ। ପୁଲିସକୁ ଏହି ହତ୍ୟାକାଣ୍ଡର ପ୍ରମୁଖ ପ୍ରମାଣ ବାବୁ ଶବ୍ଦରୁ ମିଳିଛି। ଆକ୍ରମଣର ଠିକ୍ ପୂର୍ବରୁ ତାଙ୍କ ଫୋନରେ ଶେଷ କଲରେ ବାବୁ ଶବ୍ଦ ଶୁଣି ପୁଲିସକୁ ଏହି ମାମଲାର ଖିଅ ଖୋଜିବାକୁ ସାହାଯ୍ୟ କଲା। ଫୋନରେ ଶେଷ ଶବ୍ଦ ବାବୁ ବୋଲି କହିଥିଲେ ରୂପା। ରୂପା ନିଜ ଛାତ୍ରଙ୍କୁ ବାବୁ ବୋଲି ଡାକିଥାଆନ୍ତି। ଏହି ଶବ୍ଦ ଶୁଣି ତଦନ୍ତକାରୀ ଅଧିକାରୀଙ୍କ ଧ୍ୟାନ ସ୍କୁଲ ଆଡ଼କୁ ମୁହାଁଇଥିଲା। ସିସିଟିଭି ଫୁଟେଜ, ଫରେନସିକ ଯାଞ୍ଚ ଓ ଟେକ୍ନିକ ପ୍ରମାଣ ଆଧାରରେ ସ୍ପେଶିଆଲ ଟିମ୍ ତଦନ୍ତ କରିଥିଲା। ୮୦ରୁ ଅଧିକ ଲୋକଙ୍କୁ ପଚରାଉଚୁରା କରିଥିଲା। ଆଉ ଶେଷରେ ୧୬ ବର୍ଷର ଦୁଇ ଦଶମ ଛାତ୍ରଙ୍କ ପାଖରେ ପହଞ୍ଚିଯାଇଥିଲା। ଏହି ଦୁଇ ଛାତ୍ର ଲୁଟ୍ ପ୍ଲାନ୍ କରିଥିଲେ। ଏହି କାମ ଲାଗି ସେମାନେ ଛୁରୀ କିଣିଥିଲେ। ପ୍ରିନ୍ସିପାଲଙ୍କ ଘରୁ ଟଙ୍କା ନେଇ ଚାଲିଯିବା ଆଗରୁ ତାଙ୍କୁ ଆକ୍ରମଣ କରିଥିଲେ ଉଭୟ। କାରଣ ପ୍ରିନ୍ସିପାଲ ତାଙ୍କୁ ଚୋରି କରୁଥିବା ବେଳେ ଦେଖିନେଇ ଅଟକାଇଥିଲେ। ଆଉ ଏଥିରେ ରାଗି ଯାଇ ୨୭ଥର ଭୁଷିଦେଇଥିଲେ। ଅଗଷ୍ଟ ୧୧ ତାରିଖର ଘଟଣା। ଉଭୟ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଛି।
