Student demands:ପାଠାଗାରକୁ ଦେୟମୁକ୍ତ କରିବା ଦାବିରେ ଧାରଣାରେ ଛାତ୍ରଛାତ୍ରୀ
କଟକ କେଏମସି ବିକାଶ ଭବନରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ୪ ଦଫା ଦାବିରେ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ନବ ନିର୍ମିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ଦାବିରେ ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ରାଜ୍ୟରେ ସବୁ ଲାଇବ୍ରେରୀରେ ମାଗଣା ଶିକ୍ଷା ଥିବାବେଳେ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀରେ ଦେୟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।

କଟକ: ସରକାରୀ ଲାଇବ୍ରେରୀରେ ବଡ଼ ଅବ୍ୟବସ୍ଥା।କଟକ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ଫିସ୍ ବଢାଇଲା ଚିନ୍ତା ।ପାଠ ପଢିବେ ନାଁ ଆନ୍ଦୋଳନ କରିବେ,ପରିବାର ଉପରେ ନିର୍ଭରଶୀଳ ଛାତ୍ରଛାତ୍ରୀ ଏବେ ସରକାରୀ କାର୍ଯ୍ୟାଳୟ ଆଗରେ ବସି ମାଗୁଛନ୍ତି ନ୍ୟାୟ । ଲାଇବ୍ରେରୀ ଦେୟମୁକ୍ତ କରିବାକୁ ଦାବି। ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କ ଦେୟ ୨୯୦୦ ଟଙ୍କା କୁ ବୃଦ୍ଧି ପାଇବା ଯୋଗୁ କଟକ ମହାନଗର ନିଗମ ବିକାଶ ଭବନରେ ଆଜି ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ସେମାନଙ୍କ ମତରେ ଭୁବନେଶ୍ୱର ରେ ଥିବା ଡକ୍ଟର ହରେକୃଷ୍ଣ ମହତାବଙ୍କ ଲାଇବ୍ରେରୀରେ ୨୨୫ ଟଙ୍କା ଦେୟରେ ୪ ବର୍ଷ ପଢିବାର ସୁଯୋଗ ଅଛି । କିନ୍ତୁ କଟକରେ ତାହାର ପୁରା ଓଲଟା । ବିଶ୍ୱନାଥ ପଣ୍ଡିତ ପାଠାଗାର ରେ ପୂର୍ବରୁ ରେଜିଷ୍ଟ୍ରେସନ ଫିସ ୧୦୦ ଟଙ୍କା ଥିଲା ବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ୨୯୦୦ ହୋଇଛି । ଯାହା ବୋଝ ଉପରେ ନଳିତା ବିଡା ସଦୃଶ୍ୟ । ରାଜ୍ୟ ସରକାର KG ରୁ PG ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ବେଳେ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି କହିଛନ୍ତି ଧାରଣରତ ଛାତ୍ରଛାତ୍ରୀ ।
ଅନ୍ୟପଟେ କଟକ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ଉଦ୍ଘାଟନ ପରଠୁ ବନ୍ଦ ପଡିଛି । ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଥିଲା ବେଳେ ବର୍ଦ୍ଧିତ ଫିସ ବର୍ତ୍ତମାନ ଛାତ୍ରଛାତ୍ରୀ ଙ୍କ ମୁଣ୍ଡରେ ଚଡକ ପକାଇଛି । ତେବେ ଏହି ସଂକ୍ରାନ୍ତରେ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି କେଏମସି ଅଧିକାରୀ । କର୍ପୋରେସନ ରେ ନିଷ୍ପତି ପରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେ ଏମ ସି ଅତିରିକ୍ତ କମିଶନର ।
