Illegal Ganja:ଗଞ୍ଜେଇ ଚାଷ ଉପରେ ଲାଗିବ ଲଗାମ, ଆକ୍ସନ ମୋଡ୍ରେ ରାଜ୍ୟ ସରକାର
ମାର୍ଚ୍ଚ ୨୦୨୭ ସୁଦ୍ଧା କନ୍ଧମାଳ ଓ ବୌଦ୍ଧକୁ ଗଞ୍ଜେଇ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଚାଷ ନଷ୍ଟ, ଚୋରା କାରବାର ରୋକିବା ଓ ଅଧିକାରୀଙ୍କ ଜବାବଦେହି ପାଇଁ ଆରମ୍ଭ ହେବ ମିଶନ ମୋଡ୍ ଅଭିଯାନ |
ଫୁଲବାଣୀ, ଗଞ୍ଜେଇ ଚାଷ ଓ ଚୋରା କାରବାର ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେବ ମିଶନ ମୋଡ୍ରେ ଅଭିଯାନ। ଏଥିପାଇଁ ପୋଲିସ, ଅବକାରୀ, ଜଙ୍ଗଲ, ରାଜସ୍ୱ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ।ଏନେଇ ଫୁଲବାଣୀସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ STF ଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଦୁଇ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇଥିଲେ। ବୈଠକରେ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସର ଡିଆଇଜି କନୱାର ବିଶାଳ ସିଂ, ଏନସିବିର ଜୋନାଲ ଡାଇରେକ୍ଟର କୁନାଲ କୁମାର, ଅବକାରୀ ବିଭାଗର ଡେପୁଟି କମିଶନର ମନୋଜ ସେଠୀ, ବୌଦ୍ଧ ଏସପି କୁଲଦୀପ ମିନା, କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦଙ୍କ ସମେତ ବନ ବିଭାଗ, ଅବକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାସହ ଦୁଇ ଜିଲ୍ଲାର ଏଡିଏମ୍, ବିଡିଓ, ତହସିଲଦାର, ଥାନା ଅଧିକାରୀ ଓ ବନାଞ୍ଚଳ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଡିସେମ୍ବର ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବାର ଆହ୍ୱାନ ଅନୁଯାୟୀ ରାଜ୍ୟରେ ମଧ୍ୟ ଏହି ଅଭିଯାନକୁ ଜୋରଦାର କରାଯାଉଛି। କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଅଭିଯାନକୁ ସଫଳ କରିବା ପାଇଁ ନକ୍ସଲ ଦମନ ଅଭିଯାନରେ ନିୟୋଜିତ ଯବାନଙ୍କୁ ଗଞ୍ଜେଇ ଚାଷ ଚିହ୍ନଟ ଓ ନଷ୍ଟ କରିବା କାର୍ଯ୍ୟରେ ନିୟୋଜିତ କରାଯିବ। ଏଥିସହ ଗଞ୍ଜେଇ ଚାଷ ଉପରେ ନଜର ରଖିବା ଏବଂ ଅଭିଯାନର ସମନ୍ୱୟ ପାଇଁ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ। ଏହି କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ। ସମସ୍ତ ଅଭିଯାନ ଆଇନ ଅନୁଯାୟୀ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁସାରେ ପରିଚାଳିତ ହେବ। ଗଞ୍ଜେଇ ଚାଷ ଚିହ୍ନଟଠାରୁ ଆରମ୍ଭ କରି ତାହାକୁ ନଷ୍ଟ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖାଯିବ। ଗଞ୍ଜେଇ ଚାଷ ନିୟନ୍ତ୍ରଣରେ ଦାୟିତ୍ୱ ଓ ଜବାବଦେହିତା ସୁନିଶ୍ଚିତ କରିବାକୁ ବୈଠକରେ କଠୋର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ ହୋଇଛି କି ନାହିଁ, ସେନେଇ ସମ୍ପୃକ୍ତ ବନାଞ୍ଚଳ ଅଧିକାରୀ, ଥାନା ଆଇଆଇସି ଓ ଅବକାରୀ ଅଧୀକ୍ଷକ ପ୍ରତି ମାସରେ ପ୍ରମାଣପତ୍ର ପ୍ରଦାନ କରିବେ।ସେହିପରି ରାଜସ୍ୱ ବିଭାଗ ଅଧୀନ ଜମିରେ ଗଞ୍ଜେଇ ଚାଷ ହୋଇଥିଲେ, ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ, ଅବକାରୀ ଇନ୍ସପେକ୍ଟର ଓ ଥାନା ଆଇଆଇସି ମିଳିତ ଭାବେ ପ୍ରମାଣପତ୍ର ଦେବେ।ପ୍ରମାଣପତ୍ର ପ୍ରଦାନ ପରେ ମଧ୍ୟ ସେହି ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିଲେ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି STF ଆଇଜି ହିମାଂଶୁ ଲାଲ ସ୍ପଷ୍ଟ କରିଛନ୍ତି। ଏବେ ଲକ୍ଷ୍ୟ ଗୋଟିଏ ଗଞ୍ଜେଇ ଚାଷ ଉପରେ ସମ୍ପୂର୍ଣ୍ଣ ରୋକ୍। ମିଳିତ ଟିମ୍ୱାର୍କ, ନିୟମିତ ଯାଞ୍ଚ ଓ ଅଧିକାରୀଙ୍କ ଜବାବଦେହିତା ମାଧ୍ୟମରେ ମାର୍ଚ୍ଚ ୨୦୨୭ ସୁଦ୍ଧା କନ୍ଧମାଳ ଓ ବୌଦ୍ଧକୁ ଗଞ୍ଜେଇ ମୁକ୍ତ କରିବା ହେଉଛି ପ୍ରଶାସନର ପ୍ରମୁଖ ଲକ୍ଷ୍ୟ।

