Ambulance explosion:ଉଦଳା ମେଡିକାଲରେ ଆମ୍ବୁଲାନ୍ସ ବିସ୍ଫୋରଣ ନେଇ ତଦନ୍ତ ଆରମ୍ଭ
ଉଦଳା ମେଡିକାଲର ଆମ୍ବୁଲାନ୍ସ ବିସ୍ଫୋରଣ ନେଇ ଆରମ୍ଭ ହେଲା ତଦନ୍ତ | ବାରିପଦାରୁ ମଟର ଯାନ ଅଧିକାରୀ (MVI) ଜ୍ୟୋତି ପ୍ରକାଶ ସେଠୀ ନିଜ କର୍ମଚାରୀଙ୍କୁ ସାଙ୍ଗରେ ଧରି ଉଦଳା ଥାନାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ଉଦଳା:ମେଡିକାଲରେ ଆମ୍ବୁଲାନ୍ସ ବିସ୍ଫୋରଣ ନେଇ ଆରମ୍ଭ ହେଲା ତଦନ୍ତ | ଗତ ଗୁରୁବାର ରାତିରେ ଉଦଳା ମେଡିକାଲର ଏକ ଘରୋଇ ଆମ୍ବୁଲାନ୍ସ ଜଣେ ରେଫର୍ ହୋଇଥିବା ରୋଗୀଙ୍କୁ ନେଇ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ, ମେଡିକାଲ ପରିସରରେ ହଠାତ୍ ସେଥିରେ ନିଆଁ ଲାଗିଯିବା ସହ ଆମ୍ବୁଲାନ୍ସଟି ବିସ୍ଫୋରଣ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣା ପରେ ସମଗ୍ର ଉଦଳା ମେଡିକାଲ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ତଦନ୍ତ ଆରମ୍ଭ ହୋଇଛି। ବାରିପଦାରୁ ମଟର ଯାନ ଅଧିକାରୀ (MVI) ଜ୍ୟୋତି ପ୍ରକାଶ ସେଠୀ ନିଜ କର୍ମଚାରୀଙ୍କୁ ସାଙ୍ଗରେ ଧରି ଉଦଳା ଥାନାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ତାଙ୍କ ସହିତ ଉଦଳା ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି।ଉଦଳା ଅଞ୍ଚଳରେ ଥିବା ଦୁଇଟି ପ୍ରାଇଭେଟ୍ ଆମ୍ବୁଲାନ୍ସର କାଗଜପତ୍ର (ଦସ୍ତାବିଜ୍) ଯାଞ୍ଚ କରାଯିବା ସହ ଗାଡ଼ିଗୁଡ଼ିକରେ ଫାୟାର୍ ସେଫ୍ଟି (ଅଗ୍ନି ନିରାପତ୍ତା ବ୍ୟବସ୍ଥା) ଅଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ଉଦଳାଠାରୁ ଆରମ୍ଭ ହୋଇଥିବା ବେଳେ ଆଗକୁ ସମଗ୍ର ଜିଲ୍ଲାର ସମସ୍ତ ଆମ୍ବୁଲାନ୍ସ ଯାଞ୍ଚ କରାଯିବ ବୋଲି ମଟର ଯାନ ଅଧିକାରୀ ପ୍ରକାଶ କରିଛନ୍ତି।
