ମିଳିଲାନି ମହାପ୍ରୟାଣ ଗାଡ଼ି, ରାସନ କାର୍ଡ ବନ୍ଧକ ରଖି ଶିଶୁପୁତ୍ରର ମୃତଦେହ ଘରକୁ ଆଣିଲେ ପରିବାର
ମୃତ ଶିଶୁପୁତ୍ରର ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ି ମିଳିଲାନି। ରାସନ କାର୍ଡ ବନ୍ଧକ ରଖି ଘରୋଇ ଆମ୍ବୁଲାନ୍ସ ରେ ଘରକୁ ଆଣିଲେ ନବରଙ୍ଗପୁରର ଗରିବ ପରିବାର।
ନବରଙ୍ଗପୁର: ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଲେ ଗରିବ ପରିବାର। ମହାପ୍ରୟାଣ ଗାଡ଼ି ନମିଳିବାରୁ ନିଜ ନବଜାତ ଶିଶୁପୁତ୍ରର ମୃତଦେହ ଘରକୁ ଆଣିବା ପାଇଁ ଶେଷରେ ରାସନ କାର୍ଡ ବନ୍ଧକ ରଖିବାକୁ ପଡ଼ିଲା। ଘରୋଇ ଆମ୍ବୁଲାନ୍ସକୁ ୫ ହଜାର ଟଙ୍କା ଦେଇ ମୃତଦେହ ଘରକୁ ଆଣିଲେ ପରିବାର ଲୋକେ। ଏଭଳି ଏକ ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସରକାରୀ ସ୍ୱାସ୍ଥ୍ୟସେବା ଓ ମହାପ୍ରୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ଉଠିଛି ପ୍ରଶ୍ନ। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଦଳେଇଗୁଡ଼ା ଗ୍ରାମର ନକୁଳ ଭତରାଙ୍କ ପତ୍ନୀ ଅମ୍ବିକା ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ନବଜାତ ଶିଶୁର ଓଜନ କମ୍ ଥିବାରୁ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅକ୍ଟୋବର ୫ ତାରିଖରେ ଶିଶୁଟିକୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ନବଜାତକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ମୃତଦେହକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ଯୋଗାଇଦେବାକୁ ନିବେଦନ କରିଥିଲେ। କିନ୍ତୁ ଗାଡ଼ି ନଥିବା କହି ମେଡିକାଲ କର୍ତ୍ତୃପକ୍ଷ ଗାଡ଼ି ଯୋଗାଇଦେଇ ନଥିବା ନକୁଳ ଅଭିଯୋଗ କରିଛନ୍ତି।
ପରିବାରର ଅଭିଯୋଗ ଅନୁଯାୟୀ, ମୃତ ଶିଶୁକୁ ଘରକୁ ନେବା ବଦଳରେ ସେଠାରେ ପୋତିଦେବା କିମ୍ବା ବାଇକ୍ରେ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଶିଶୁର ମୃତଦେହ ଘରକୁ ନେବା ପାଇଁ ଅର୍ଥ ନଥିବାରୁ ଅସହାୟ ହୋଇପଡ଼ିଥିଲେ ନକୁଳ ଓ ତାଙ୍କ ପରିବାର। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ନିଜ ରାସନ କାର୍ଡକୁ ବନ୍ଧକ ରଖି ଘରୋଇ ଆମ୍ବୁଲାନ୍ସ ଯୋଗାଡ଼ କରିଥିଲେ। ଏଥିପାଇଁ ୫ ହଜାର ଟଙ୍କା ଦେଇ ଶିଶୁପୁତ୍ରର ମୃତଦେହକୁ ଘରକୁ ଆଣିଥିଲେ ପରିବାର ଲୋକେ। ଯେଉଁ ପରିବାରରେ ନବଜାତ ଶିଶୁର ଆଗମନ ଖୁସି ଆଣିଥିଲା, ସେହି ପରିବାର ପାଇଁ ଶେଷରେ ନିଜ ସନ୍ତାନର ମୃତଦେହ ଘରକୁ ଆଣିବା ଏକ ବଡ଼ ସଂଘର୍ଷ ପାଲଟିଗଲା। ଅନ୍ୟପଟେ, ମହାପ୍ରୟାଣ ଯୋଜନାର ଉଦ୍ଦେଶ୍ୟ ମୃତକଙ୍କ ପରିବାରକୁ ମୃତଦେହ ପରିବହନରେ ସହାୟତା କରିବା ହୋଇଥିବା ବେଳେ ଏଭଳି ଘଟଣା ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି।
