Strict Action on DJ Rules:ଶବ୍ଦ ପ୍ରଦୂଷଣ ଉପରେ ନଜର : ୬ ସପ୍ତାହ ମଧ୍ୟରେ 'ଡିଜେ ଗାଇଡ୍ଲାଇନ୍' ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
ଶବ୍ଦ ପ୍ରଦୂଷଣ ଯୋଗୁଁ ବରିଷ୍ଠ ନାଗରିକଙ୍କୁ ହେଉଛି ସ୍ୱାସ୍ଥ୍ୟ ସମସ୍ୟା | ଜଗତସିଂହପୁରରେ ଗଣେଶ ବିସର୍ଜନ ଡିଜେ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ କଡ଼ା ରୁଲିଂ। ୬ ସପ୍ତାହ ମଧ୍ୟରେ ସମଗ୍ର ରାଜ୍ୟ ପାଇଁ ସ୍ପଷ୍ଟ 'ଡିଜେ ଗାଇଡ୍ଲାଇନ୍' ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ |
ଓଡ଼ିଶା ହାଇକୋର୍ଟ ରାଜ୍ୟରେ ଡିଜେ, ଲାଉଡସ୍ପିକର ଏବଂ ହାଇ ଡେସିବେଲ୍ (dB) ମ୍ୟୁଜିକ ସିଷ୍ଟମ ହେଉଥିବା ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୬ ସପ୍ତାହ ମଧ୍ୟରେ ନିୟମାବଳୀ (DJ Rules) ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର 21 ତାରିଖ ଦିନ 'ଜଗନ୍ନାଥ ଟେଣ୍ଟ ଲାଇଟ୍ ଆଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ୍' ଦ୍ୱାରା ଦାଖଲ ଆବେଦନର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି, ଯେଉଁଥିରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ୱାରା ସେପ୍ଟେମ୍ବର ୧୫ ତାରିଖରେ ଗଣେଶ ପୂଜା ଭାସାଣି ସମୟରେ ଡିଜେ ବ୍ୟବହାର ଉପରେ ଲଗାଯାଇଥିବା କଟକଣାକୁ ଚ୍ୟାଲେଞ୍ଜ କରାଯାଇଥିଲା |ଶୁଣାଣି ସମୟରେ ସରକାରୀ ଓକିଲ ତର୍କ କରିଥିଲେ ଯେ ଯେ ଅତ୍ୟଧିକ କର୍କଶ ଶବ୍ଦ ସୃଷ୍ଟି କରୁଥିବା ଡିଜେ ଯୋଗୁଁ ବୃଦ୍ଧ, ଅସୁସ୍ଥ ଏବଂ କୋମଳମତି ଶିଶୁମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ବ୍ୟାନ୍ ବଦଳରେ ନିର୍ଦ୍ଧରିତ ଡେସିବେଲ୍ (dB) ସୀମା ମଧ୍ୟରେ ଡିଜେ ବଜାଇବାକୁ ଅନୁମତି ଦେବାକୁ ଆବେଦନକାରୀ ଦାବି କରିଥିଲେ। ଘଟଣାର ଗମ୍ଭୀରତା କୁ ଦେଖି ହାଇକୋର୍ଟ ସରକାରଙ୍କୁ ସମୟସୀମା ଭିତରେ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରିବାକୁ ସ୍ପଷ୍ଟ କରିଛନ୍ତି।
