Bilkis Will Fight For Justice: ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଲଢ଼ିବେ ବିଲକିସ୍
ଆଜୀବନ ଜେଲ୍ ଦଣ୍ଡକୁ ସସପେଣ୍ଡ କରିବା ସହ ସେମାନଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ରାୟରେ ଭାଙ୍ଗି ପଡ଼ିଛନ୍ତି ବିଲକିସ୍ । ପୁରୁଣା ଭୟ ପୁଣି ତାଙ୍କୁ ଆବୋରି ବସିଲାଣି।ନିଜ ଓ ନିଜ ପରିବାର ତଥା ନିଜ ପିଲା ପାଇଁ ଚିନ୍ତା ବଢ଼ୁଛି।ତେବେ ସେ ସଂକଳ୍ପ ନେଇଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ବିରୁଦ୍ଧରେ ଲଢ଼ିବେ।

ବହୁ ଚର୍ଚ୍ଚିତ ବିଲକିସ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ଦୁଇ ଜଣଙ୍କ ଆଜୀବନ ଜେଲ୍ ଦଣ୍ଡକୁ ସସପେଣ୍ଡ କରିବା ସହ ସେମାନଙ୍କୁ ଜାମିନଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ରାୟରେ ଭାଙ୍ଗି ପଡ଼ିଛନ୍ତି ବିଲକିସ୍। ନିଜ ଓକିଲ ଶୋଭା ଗୁପ୍ତାଙ୍କ ଜରିଆରେ ବିଲକିସ ଜାରି କରିଛନ୍ତିବୟାନ। ବିଲକିସ୍ କହିଛନ୍ତି, ଆଦେଶ ଦେବା ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ଏ ବାବଦରେ ନା ଅବଗତ କଲେ ନା ନିଜ ପକ୍ଷ ରଖିବାକୁ ମଉକା ଦେଲେ। ଏଭଳି ତାଙ୍କ ସହ ଦ୍ୱିତୀୟ ଥର ହୋଇଛି। ଖବରକାଗଜରେ ରାୟ ବାବଦରେ ଖବର ପ୍ରକାଶନ ପରେ ହିଁ ସେ ଜାଣିବାକୁ ପାଇଲେ। ଏ ବାବଦରେ ତାଙ୍କୁ କୋର୍ଟରୁ କୌଣସି ଅଧିକାରୀକ ସୂଚନା ଦିଆଗଲାନି। ତାଙ୍କୁ ଲାଗୁଛି, ସେ ଯେଉଁ ନ୍ୟାୟର ଲଢ଼େଇ ପାଇଁ ଏତେ ଲମ୍ୱାସମୟ ଧରି ସଂଘର୍ଷ କଲେ। ସେହି ନ୍ୟାୟ
ପୁଣି ତାଙ୍କ ପାଖରୁ ଛଡ଼ାଇ ନିଆଗଲା। ପୁରୁଣା ଭୟ ପୁଣି ତାଙ୍କୁ ଆବୋରି ବସିଲାଣି।ନିଜ ଓ ନିଜ ପରିବାର ତଥା ନିଜ ପିଲା ପାଇଁ ଚିନ୍ତା ବଢ଼ୁଛି।ତେବେ ସେ ସଂକଳ୍ପ ନେଇଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ବିରୁଦ୍ଧରେ ଲଢ଼ିବେ। ନିଜର ୩ ବର୍ଷର ଝିଅ ସାଲେହାର ସ୍ମୃତି ପାଇଁ ଓ ପ୍ରତି ମହିଳା ଯିଏ ଏଭଳି ଅନ୍ୟାୟର ସମ୍ମୁଖୀନ ହୋଇଛି, ସେମାନଙ୍କ ଲାଗି ଲଢ଼ିବେ। ଅକ୍ଟୋବର ୨୮ରେ ସୁପ୍ରିମକୋର୍ଟର ଜଷ୍ଟିସ୍ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ପ୍ରସନ୍ନା ବି ବରାଲେଙ୍କ ଖଣ୍ଡପୀଠ ଏହ ଆଦେଶ ଦେଇଥିଲେ। ତେବେ ନଭେମ୍ୱର ୧୬ରେ ଏହା ସାର୍ବଜନୀନ କରାଯାଇଥିଲା। ଏହି ମାମଲାରେ ଦୁଇ ଦୋଷୀ ବିପିନଚନ୍ଦ୍ର କହ୍ନେୟାଲାଲ ଯୋଶୀ ଓ ପ୍ରଦୀପ ରାମନଲାଲ ମେଢିଆ ବମ୍ୱେ ହାଇକୋର୍ଟରେ ମେ ୪, ୨୦୧୭ର ଆଦେଶ ବିରୁଦ୍ଧରେ ଅପିଲ୍ କରିଥିଲେ।ବମ୍ୱେ ହାଇକୋର୍ଟ ଏ ଦୁଇ ଜଣଙ୍କର ଦୋଷସିଦ୍ଧ ଓ ଆଜୀବନ କାରାଦଣ୍ଡର ସଜ୍ଜାକୁ ବଳବତ୍ତର ରଖିଥିଲେ। ଦୋଷୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥରା ଦଲିଲ ଦେଇଥିଲେ ଯେ, ଦୁହେଁ ୧୭ ବର୍ଷରୁ ଅଧିକ ସମୟ ଜେଲରେ କାଟିସାରିଛନ୍ତି। ସେ ଏକଥା ବି କହିଥିଲେ ଯେ, ଦୁହିଁଙ୍କ ଭିତରୁ ଜଣଙ୍କ ନାଁ ଏତଲାରେ ବି ନଥିଲା। ଘଟଣାର ପ୍ରାୟ ୩ ବର୍ଷ ପରେ ତାଙ୍କୁ ଏ ମାମଲାରେ ଅଭିଯୁକ୍ତ କରାଯାଇଥିଲା। କୋର୍ଟର ଆଦେଶ ମୁତାବକ, ଅତିରିକ୍ତ ସଲିସିଟର ଜେନେରାଲ ରାଜା ଠାକରେ ଜାମିନ ଆବେଦନକୁ ବିରୋଧ କରିଥିଲେ। ଅପରାଧର ଗମ୍ଭୀରତାକୁ ଦେଖି ଟ୍ରାଏଲ କୋର୍ଟ ଓ ହାଇକୋର୍ଟ ସମସ୍ତ ସମ୍ୱନ୍ଧିତ ପ୍ରମାଣ ଆଧାରରେ ରାୟ ଶୁଣାଇଥିଲେ। ତେବେ ସୁପ୍ରିମକୋର୍ଟ ନିଜ ଆଦେଶରେ କହିଥିଲେ, ଦୁଇ ଦୋଷୀ ୧୭ବର୍ଷରୁ ଅଧିକ ସମୟ ଜେଲରେ କାଟିସାରିଲେଣି। ଏମାନଙ୍କ ଭିତରୁ ଜଣେ ଗମ୍ଭୀର ଶାରୀରିକ ବିକଳାଙ୍ଗରେ ପୀଡ଼ିତ। ଏହା ବ୍ୟତୀତ ତାଙ୍କର ଅପିଲରେ ଆଇନ ଓ ତଥ୍ୟ
ସହ ଜଡ଼ିତ କିଛି ମୁଦ୍ଦା ଉପରେ ବିଚାର କରିବାକୁ ବାକି ଅଛି। ଏହି ଆଧାରରେ କୋର୍ଟ ଦୁହିଁଙ୍କ ସଜ୍ଜାରେ ରୋକ୍ ଲଗାଇବା ସହ ସମ୍ୱନ୍ଧିତ ଟ୍ରାଏଲ କୋର୍ଟ ସ୍ଥିର କରିଥିବା ସର୍ତ୍ତ ଅଧୀନରେ ଜାମିନ ଦେବାକୁ ଆଦେଶ ଦେଇଥିଲେ। ସରଳ ଭାଷାରେ କହିବାକୁ ଗଲେ, ସେମାନଙ୍କ ଦୋଷସିଦ୍ଧ ବିରୁଦ୍ଧରେ ଦାଏର ଅପିଲ ଉପରେ ଶୁଣାଣୀ ଏବେ ବି ବାକି ଅଛି। ଅର୍ଥାତ ସୁପ୍ରିମକୋର୍ଟଙ୍କ ଆଦେଶରୁ ଏ ଦୁହିଁଙ୍କର ଦୋଷସିଦ୍ଧ ରଦ୍ଦ ହୋଇନି। ବିଲକିସ ବାନୋଙ୍କ କେସରେ ୨୦୨୨ରେ ଗୁଜରାଟ ସରକାର ସମସ୍ତ ୧୧ ଦୋଷୀଙ୍କୁ ସଜ୍ଜାରୁ ଛୁଟ୍ ଦେଇ ଜେଲରୁ ମୁକ୍ତ କରିଦେଇଥିଲେ। ଜେଲରୁ ବାହାରିବା ମାତ୍ରେ ସେମାନଙ୍କୁ କିଛି ଲୋକ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ଫୈସଲାକୁ ଦେଶତମାମ ବିରୋଧ କରାଯାଇଥିଲା ଓ ସୁପ୍ରିମକୋର୍ଟରେ ପିଟିସନ ପଡ଼ିଥିଲା। ଜାନୁଆରୀ ୨୦୨୪ରେ ସଜ୍ଜାକୁ କ୍ଷମା କରିଥିବା ଗୁଜୁରାଟ ସରକାରଙ୍କର ଏହି ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ। କୋର୍ଟ କହିଥିଲେ, ଏ
ମାମଲାର ଶୁଣାଣୀ ମହାରାଷ୍ଟ୍ରରେ ହୋଇଥିଲା। ସେଥିଲାଗି ଦୋଷୀଙ୍କ ସଜ୍ଜାକୁ କ୍ଷମା ବା ରିହାତି ଦେବାର ଅଧିକାର ଗୁଜୁରାଟ ସରକାରଙ୍କ ନଥିଲା। ଏହା ପରେ ସମସ୍ତ ୧୧ ଦୋଷୀଙ୍କୁ ପୁଣି ଥରେ ଜେଲ୍ ଯିବାକୁ ପଡ଼ିଥିଲା। ଏବେ ଏହି ୧୧ ଦୋଷୀଙ୍କ ଭିତରୁ ୨ ଜଣଙ୍କୁ ଆଇନଗତ ପ୍ରକ୍ରିୟା ଆଧାରରେ ସୁପ୍ରିମକୋର୍ଟ ସଜ୍ଜା ଉପରେ ରୋକ୍ ସହ ଜାମିନ ଦେଇଛନ୍ତି। ୨୦୨୪ରେ ସଜ୍ଜାକୁ କ୍ଷମା କରିବା ନିଷ୍ପତ୍ତିକୁ ରଦ୍ଦ ଓ ୨୦୨୬ରେ ଜାମିନ ମିଳିବା, ଦୁଇଟି ଅଲଗା ଅଲଗା ଆଇନଗତ ମାମଲା ଅଟେ। ମାର୍ଚ୍ଚ ୨୦୦୨ରେ ଗୁଜୁରାଟ ଦଙ୍ଗା ବେଳେ ବିଲକିସ ବାନୋ ନିଜ ପରିବାର ସଦସ୍ୟଙ୍କ ସହ ଜୀବନ
ବଞ୍ଚାଇବାକୁ ରନ୍ଧିକପୁରରୁ ପଳାଉଥିଲେ। ସେତେବେଳେ ବିଲକିସ ୫ ମାସର ଗର୍ଭବତୀ ଥିଲେ ଓ ତାଙ୍କ ବୟସ ୧୯ ଥିଲା। ପଞ୍ଚମହାଲ ଜିଲ୍ଲାର ରନ୍ଧିକପୁରରେ ଏକ ଭିଡ଼ ହିଂସା ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ୩ ବର୍ଷର ଝିଅ ସମେତ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। ସୁପ୍ରିମକୋର୍ଟ ଏ ମାମଲାକୁ ସିବିଆଇକୁ ଦେଇଥିଲେ। ଗୁଜୁରାଟରୁ ମହାରାଷ୍ଟ୍ର ଟ୍ରାନ୍ସଫର ହୋଇଥିଲା ମାମଲା। ୨୦୦୮ରେ ମୁମ୍ୱାଇର ସ୍ୱତନ୍ତ୍ର ସିବିଆଇ ଅଦାଲତ ୧୧ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ୨୦୧୭ରେ ବମ୍ୱେ ହାଇକୋର୍ଟ ବି ସଜ୍ଜାକୁ କାଏମ ରଖିଲେ।
