Stray Dogs On Official's Table:ନାସିକରେ କୁକୁର ଆତଙ୍କ : ଅଫିସରେ କୁକୁର ଛାଡି ପ୍ରତିବାଦ
ପ୍ରଦର୍ଶନକାରୀମାନେ କାର୍ଯ୍ୟାଳୟ ଭିତରେ କେବଳ କୁକୁର ଛାଡିନଥିଲେ, ଏହାସହ ଅଧିକାରୀଙ୍କ ଟେବୁଲ୍ରେ କୁକୁର ବସାଇ ନୋଟ୍ ମାଳ ପିନ୍ଧାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।
ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ବୁଲନ୍ତା କୁକୁରଙ୍କ ଉପଦ୍ରବ ଓ ନଗର ପ୍ରଶାସନ ର ନିଷ୍କ୍ରିୟତା ବିରୋଧରେ ଏକ ଅସାମାନ୍ୟ ଓ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି | ବୁଧବାର ଦିନ ଯୁବସେନା ଜିଲ୍ଲା ମୁଖ୍ୟ ବିକ୍ରମ ରନ୍ଧାବେଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାମାନେ ନିଫାଡ୍ ନଗର ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ଧୀରଜ ଭାମରେଙ୍କ କାର୍ଯ୍ୟାଳୟ ଭିତରେ ୪-୫ଟି ବୁଲନ୍ତା କୁକୁର ଛାଡ଼ି ଦେଇଥିଲେ।ଏହି ଘଟଣା ଯୋଗୁଁ କାର୍ଯ୍ୟାଳୟରେ କିଛି ସମୟ ପାଇଁ ହଇଚଇ ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀମାନେ କାର୍ଯ୍ୟାଳୟ ଭିତରେ କେବଳ କୁକୁର ଛାଡିନଥିଲେ, ଏହାସହ ଅଧିକାରୀଙ୍କ ଟେବୁଲ୍ରେ କୁକୁର ବସାଇ ନୋଟ୍ ମାଳ ପିନ୍ଧାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। କାର୍ଯ୍ୟକର୍ତ୍ତା ମାନଙ୍କର କହିବା ଅନୁଯାୟୀ ଏହି ସାଙ୍କେତିକ ବିରୋଧ ପ୍ରଦର୍ଶନ ନଗରପ୍ରଶାସନ କୁ ନିଦରୁ ଉଠାଇବା ଓ ସାଧାରଣ ଜନତାଙ୍କ ସମସ୍ୟା ଦିଗରେ ଦୃଷ୍ଟିଆକର୍ଷଣ ନିମନ୍ତେ ନିଆଯାଇଥିଲା | ଯୁବ ସେନାଙ୍କ ସୂଚନା ଅନୁଯାୟୀ, ନିଫାଡ୍ ଓ ଏହାର ଆଖପାଖ ଅଞ୍ଚଳରେ ବୁଲନ୍ତା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଛୋଟ ପିଲା, ମହିଳା ଓ ବରିଷ୍ଠ ନାଗରିକମାନେ କ୍ରମାଗତ ଭାବେ ଆକ୍ରମଣର ଶିକାର ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୁକୁର ମାନଙ୍କ ବଂଶବୃଦ୍ଧି ଦିଗରେ କୌଣସି ନିରାକରଣମୂଳକ ପଦକ୍ଷେପ ନନେବାରୁ ଏହି ପ୍ରତିବାଦ କରାଯାଇଛି ଓ ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ଉଗ୍ର କରିବାକୁ ଚେତାବନୀ ଦିଆଯାଇଛି । ପରେ ମୁଖ୍ୟ ଅଧିକାରୀ ଧୀରଜ ଭାମରେ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରାଇ କୁକୁରଙ୍କ ବନ୍ଧ୍ୟାକରଣ ଓ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
