ବଢ଼ୁଛି ବୁଲା କୁକୁରଙ୍କ ଉତ୍ପାତ, ଚିନ୍ତାରେ ସହରବାସୀ
ବୁଲା କୁକୁରଙ୍କ ଆତଙ୍କ, ରାସ୍ତାକୁ ବାହାରିବାକୁ ଡରୁଛନ୍ତି ଲୋକେ। ଏକ ମାସରେ ଆସିଲାଣି ୫୦୦ରୁ ଅଧିକ କୁକୁର କାମୁଡ଼ା ଘଟଣା, ପାରଳାଖେମୁଣ୍ଡି ପୌରପାଳିକା ପଦକ୍ଷେପକୁ ନେଇ ପ୍ରଶ୍ନ। ସୁରକ୍ଷା ପାଇଁ ତୁରନ୍ତ ବ୍ୟବସ୍ଥା ଦାବି।
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବୁଲା କୁକୁରଙ୍କ ଆତଙ୍କ ଏବେ ଚରମ ସୀମାରେ। ସହରର ବିଭିନ୍ନ ସାହି, ଗଳି ଓ କନ୍ଦିରେ କୁକୁରମାନେ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ୁଛନ୍ତି। ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିବାରୁ ଲୋକେ ରାସ୍ତାରେ ଚାଲିବା କିମ୍ବା ଦୁଇଚକିଆ ଯାନରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ବର୍ତ୍ତମାନ କୁକୁରଙ୍କ ପ୍ରଜନନ ଋତୁ ଚାଲିଥିବାରୁ ସେମାନେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେକର୍ଡ ଅନୁସାରେ, ଗତ ଏକ ମାସ ମଧ୍ୟରେ ୫୦୦ରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇ ଆଣ୍ଟି-ରେବିଜ୍ ଟିକା ନେଇଛନ୍ତି। ସେଥିମଧ୍ୟରୁ ୪୧୦ ଜଣ କେବଳ ପାରଳାଖେମୁଣ୍ଡି ପୌରାଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ପରେ ମଧ୍ୟ ପୌରପାଳିକା ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କିମ୍ବା ସଂଖ୍ୟା ନିୟନ୍ତ୍ରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ସହରବାସୀ।
ଏପଟେ କୁକୁର ସମସ୍ୟାକୁ ନେଇ ପୌରପାଳିକା ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ କହିଛନ୍ତି ଯେ, ସମସ୍ୟା ସମ୍ପର୍କରେ ପ୍ରଶାସନ ସମ୍ପୂର୍ଣ୍ଣ ଅବଗତ ଅଛି। କିନ୍ତୁ ବୁଲା କୁକୁରଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଗାଡ଼ି ନଥିବା ସହ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ଏହି କାରଣରୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆହୁରି ଦୁଇରୁ ତିନି ମାସ ସମୟ ଲାଗିପାରେ ବୋଲି ସେ କହିଛନ୍ତି। ବୁଲା କୁକୁରଙ୍କ ଆତଙ୍କ ଯୋଗୁଁ ପାରଳାଖେମୁଣ୍ଡି ସହରବାସୀ ଏବେ ଅସୁରକ୍ଷିତ ମନେ କରୁଛନ୍ତି। ପ୍ରତିଦିନ କୁକୁର କାମୁଡ଼ା ଘଟଣା ବଢ଼ୁଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୌରପାଳିକା ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି।
