କୁଆଡ଼େ ଗଲା ଓସେନ୍ ୱିନର୍? କୁଆଡ଼େ ଗଲେ ଜାହାଜରେ ଥିବା ୨୨ କ୍ରିୟୁ ସଦସ୍ୟ?
କୁଆଡ଼େ ଗଲା ଓସେନ୍ ୱିନର୍? କୁଆଡ଼େ ଗଲେ ଜାହାଜରେ ଥିବା ଆଉ ୨୨ କ୍ରିୟୁ ସଦସ୍ୟ? ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ବାହାରିଥିବା ଜାହାଜ ମଝି ସମୁଦ୍ରରେ ଦୁର୍ଘଟଣାର ଶିକାର ହେବା ପରେ ଏବେବି ଜାରି ରହିଛି ସସ୍ପେନ୍ସ ।
କୁଆଡ଼େ ଗଲା ଓସେନ୍ ୱିନର୍? କୁଆଡ଼େ ଗଲେ ଜାହାଜରେ ଥିବା ଆଉ ୨୨ କ୍ରିୟୁ ସଦସ୍ୟ? ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ବାହାରିଥିବା ଜାହାଜ ମଝି ସମୁଦ୍ରରେ ଦୁର୍ଘଟଣାର ଶିକାର ହେବା ପରେ ଏବେବି ଜାରି ରହିଛି ସସ୍ପେନ୍ସ । ନୌସେନା, କୋଷ୍ଟଗାର୍ଡ ଓ ବିଭିନ୍ନ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ଥିଲେ ମଧ୍ୟ ନିଖୋଜ ଜାହାଜ ଓ ନାବିକଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଜାହାଜଟି କେମିତି ବୁଡ଼ିଲା? ଦୁର୍ଘଟଣା ପଛରେ ରହିଛି କି ବୈଷୟିକ ତ୍ରୁଟି, ଅଧିକ କାର୍ଗୋ କିମ୍ବା ପ୍ରତିକୂଳ ପାଗ? ଉଠିଛି ଅନେକ ପ୍ରଶ୍ନ । ପାରାଦୀପ ବନ୍ଦରରୁ ଆଇରନ୍ ଓର୍ ନେଇ ଚାଇନା ଅଭିମୁଖେ ଯାତ୍ରା କରୁଥିଲା ଓସେନ୍ ୱିନର୍ । ୨୦ ତାରିଖ ବିଳମ୍ବିତ ରାତିରେ ଯାତ୍ରା କରିବା ପରେ ପୋର୍ଟ ବ୍ଲେୟାର ଦ୍ୱୀପପୁଞ୍ଜ ନିକଟରେ ଜାହାଜଟି ଦୁର୍ଘଟଣାର ଶିକାର ହୋଇଥିବା ସୂଚନା । ପାରାଦୀପ ଉପକୂଳରୁ ପ୍ରାୟ ୨୨୦ ନଟିକାଲ ମାଇଲ୍ ଦୂରରେ ଘଟିଛି ଏହି ଅଘଟଣ । ଦୁର୍ଘଟଣା ପରେ ଜାହାଜର ଦୁଇଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ହେଲେ ଅନ୍ୟ ୨୨ ଜଣଙ୍କ ଏବେବି ପତ୍ତା ମିଳିନାହିଁ । ସେମାନଙ୍କୁ ଖୋଜିବା ପାଇଁ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସେହି ରୁଟ୍ ଦେଇ ଯାଉଥିବା ଅନ୍ୟ ଜାହାଜଗୁଡ଼ିକୁ ମଧ୍ୟ ଆଲର୍ଟ କରାଯାଇଛି । ଦୁର୍ଘଟଣାର କାରଣକୁ ନେଇ ଏବେ ଅନେକ ପ୍ରଶ୍ନ । ଓସେନ୍ ୱିନର୍ ପ୍ରାୟ ୨୮ ବର୍ଷ ପୁରୁଣା ଜାହାଜ ହୋଇଥିବା ବେଳେ ଏହାର କ୍ଷମତା ଓ ସହନଶୀଳତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଜାହାଜରେ ପ୍ରାୟ ୭୧ ହଜାର ୨୦୦ ମେଟ୍ରିକ୍ ଟନ୍ ପଣ୍ୟ ଥିବା କୁହାଯାଉଛି । ଏତେ ପରିମାଣର କାର୍ଗୋ ନେଇ ପ୍ରତିକୂଳ ପାଗରେ ଜାହାଜଟି ନିଜର ଭାରସାମ୍ୟ ହରାଇଥିଲା କି? କାର୍ଗୋ ଲୋଡିଂ ସମୟରେ ଆର୍ଦ୍ରତା ଠିକ୍ ଭାବେ ଯାଞ୍ଚ ହୋଇଥିଲା କି? କାର୍ଗୋ ଯୋଗୁଁ ଜାହାଜଟି ଗୋଟିଏ ପଟକୁ ଢଳି ଦୁର୍ଘଟଣାର ଶିକାର ହୋଇଥିଲା କି? ଏସବୁ ଦିଗ ଏବେ ତଦନ୍ତ ପରିସରରେ । ଜାହାଜ ଓ ନିଖୋଜ ନାବିକଙ୍କୁ ଖୋଜିବାରେ ନୌସେନା, କୋଷ୍ଟଗାର୍ଡ ସହ ବିଭିନ୍ନ ଏଜେନ୍ସି ନିୟୋଜିତ ଅଛନ୍ତି । ସ୍ୱତନ୍ତ୍ର ବିମାନ ମାଧ୍ୟମରେ ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି । ଗଭୀର ସମୁଦ୍ରରେ ନିଖୋଜ ଓସେନ୍ ୱିନର୍ । ଜାହାଜ ସହ ନିଖୋଜ ୨୨ ନାବିକ । ଦୁଇ ଜଣଙ୍କୁ ଉଦ୍ଧାର ପରେ ଅନ୍ୟମାନଙ୍କୁ ଖୋଜିବାକୁ ଜାରି ରହିଛି ବଡ଼ ଧରଣର ସର୍ଚ୍ଚ ଅପରେସନ୍ । ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ ନିଖୋଜ ନାବିକଙ୍କ ଭାଗ୍ୟ କ’ଣ—ଏହାର ଉତ୍ତର ଅପେକ୍ଷାରେ ଏବେ ସାରା ଓଡ଼ିଶା ।
