ଭୁବନ ବନାଞ୍ଚଳରେ ଦୁଇ ଦନ୍ତାଙ୍କ ଉପଦ୍ରବ
ଭୁବନ ଅଞ୍ଚଳରେ ଦନ୍ତା ଆତଙ୍କ: ଭାଙ୍ଗିଲେ ଘର କବାଟ, ନଷ୍ଟ କଲେ ଧାନ। ଧନଜୀବନ ସୁରକ୍ଷାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଦୁଇ ଦନ୍ତା ହାତୀଙ୍କ ଉପଦ୍ରବକୁ ନେଇ ଆତଙ୍କ ଦେଖାଦେଇଛି। ଆଜି ଭୋର ସମୟରେ ହାତୀ ଦୁଇଟି କୁମର୍ଦା ଗ୍ରାମରେ ପଶି ଆତଙ୍କ ରଚିଥିଲେ। ଗ୍ରାମରେ ପଶି ହାତୀ ଦୁଇଟି ରାମଚନ୍ଦ୍ର ଦେହୁରୀଙ୍କ ଘରର କବାଟ ଭାଙ୍ଗି ଦେବା ସହ ଘରେ ରଖାଯାଇଥିବା ୧୨ ବସ୍ତା ଧାନ ଖାଇବା ସହ ନଷ୍ଟ କରିଦେଇଥିଲେ। ପରେ ହାତୀ ଦୁଇଟି ଭୁବନ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପଶି କାନ୍ଥ ଭାଙ୍ଗିଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ଦୁଇଟିକୁ ଘଉଡ଼ାଇଥିଲେ। ଏହାପରେ ହାତୀ ଦୁଇଟି ଭାରତୀ ପାହାଡ଼ ଅଞ୍ଚଳକୁ ଚାଲିଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ବର୍ତ୍ତମାନ ଚାଷ ସମୟ ଚାଲିଥିବାରୁ ହାତୀଙ୍କ ଉପଦ୍ରବକୁ ନେଇ ଚାଷୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ଫସଲ ନଷ୍ଟ ହେବା ଆଶଙ୍କା ସହ ଧନଜୀବନର ସୁରକ୍ଷାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ। ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ହାତୀଙ୍କ ଉପଦ୍ରବ ରୋକିବା ପାଇଁ ବନବିଭାଗ ତୁରନ୍ତ ପଦକ୍ଷେପ ନେଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
