ମାହାଙ୍ଗାରେ ବାଲ୍ୟବିବାହ ପୂର୍ବରୁ ନାବାଳିକା ଉଦ୍ଧାର
ଆଇନକୁ ଫାଙ୍କି ଲୁଚାଛପାରେ ବାଲ୍ୟବିବାହ ଉଦ୍ୟମ, ମେହେନ୍ଦି ଲଗାଇ ବିବାହ ପାଇଁ ହୋଇଥିଲା ପ୍ରସ୍ତୁତି, ପୋଲିସ ସହାୟତାରେ ଚଢ଼ାଉ କରି ରୋକିଲା ପ୍ରଶାସନ ।
ମାହାଙ୍ଗା: ସରକାର ବାଲ୍ୟବିବାହ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରିଥିଲେ ମଧ୍ୟ ଏବେବି ଗ୍ରାମାଞ୍ଚଳରେ ଲୁଚାଛପାରେ ବାଲ୍ୟବିବାହ ଉଦ୍ୟମ ଜାରି ରହିଛି। ଏହାର ଏକ ଉଦାହରଣ ମାହାଙ୍ଗା ଥାନା ଅଞ୍ଚଳର କୋଳିଅଠା କୁମ୍ଭାର ସାହିରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, କୋଳିଅଠା କୁମ୍ଭାର ସାହିରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ନାବାଳିକାଙ୍କୁ ମେହେନ୍ଦି ଲଗାଯାଇଥିବା ବେଳେ ମୁସଲିମ ରୀତିନୀତି ଅନୁଯାୟୀ ନିକ୍କା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିଲା। ଖବର ପାଇ ମାହାଙ୍ଗା ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରିଣୀ ପୋଲିସ ସହାୟତାରେ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ବିବାହ ସମ୍ପନ୍ନ ହେବା ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ନାବାଳିକାଙ୍କୁ ବସୁନ୍ଧରାକୁ ପଠାଇ ଦିଆଯାଇଥିବା ବେଳେ, ବିବାହ ପାଇଁ ଆସିଥିବା ଯୁବକଙ୍କୁ ତାଙ୍କ ବାପାଙ୍କ ଜିମା ଦିଆଯାଇଛି। ଝିଅ ସାବାଳିକା ନହେବା ପର୍ଯ୍ୟନ୍ତ ବିବାହ କରାଯିବ ନାହିଁ ବୋଲି ଯୁବକଙ୍କ ପିତା ଲିଖିତ ଭାବେ ସିଡିପିଓଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।
