ଦେଓଭୋଗରେ ୨ କୋଟି ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ
ଓଡ଼ିଶା-ଛତିଶଗଡ଼ ସୀମାରେ ଗଞ୍ଜେଇ ଚୋରାଚାଲାଣ । ‘ନିଶ୍ଚୟ ଅପରେସନ’ରେ ବଡ଼ ସଫଳତା, ୨ କୋଟିର ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
ନୂଆପଡା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି। ଦେଓଭୋଗ ଥାନା ଅଞ୍ଚଳରୁ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହେବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଅନ୍ୟ ୨ ଜଣ କଳାହାଣ୍ଡି ଜିଲ୍ଲାର ଗଞ୍ଜେଇ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଏଥିସହ ପୋଲିସ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା, ଗୋଟିଏ ଚାରିଚକିଆ ଗାଡ଼ି, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ସୂଚନା ଅନୁଯାୟୀ, ଛତିଶଗଡ଼ ପୋଲିସର ‘ନିଶ୍ଚୟ ଅପରେସନ’ ଅଧୀନରେ ଗତକାଲି ବିଳମ୍ବିତ ରାତିରେ ଦେଓଭୋଗ ଥାନା ଖୁଟଗାଁ ଚେକ୍ପୋଷ୍ଟରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ MH 06 BW 4144 ନମ୍ବର ବିଶିଷ୍ଟ ଏକ ଗାଡ଼ିକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା।
ଜବତ ଗଞ୍ଜେଇର ପରିମାଣ ପ୍ରାୟ ୪୦୦ କୁଇଣ୍ଟାଲ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି। ଗାଡ଼ିରେ ଥିବା ମହାରାଷ୍ଟ୍ରର ସନ୍ତୋଷ ମୋହିତେ ଓ ସୁମିତ ଥୋଡ଼ବେଙ୍କୁ ପଚରାଉଚରା କରିବା ପରେ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ପୋଲିସକୁ ତଥ୍ୟ ମିଳିଥିଲା। ତଦନ୍ତ ପରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଡେଙ୍ଗାଗୁଡ଼ା ଅଞ୍ଚଳର ବିନୋଦ ଦେଶାରୀ ଗଞ୍ଜେଇ ଯୋଗାଣ କରୁଥିବା ଜଣାପଡ଼ିଥିଲା। ପରେ ପୋଲିସ ବିନୋଦଙ୍କୁ ମଧ୍ୟ ଗିରଫ କରିଥିଲା। ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ସହ ଗଞ୍ଜେଇ ଚୋରାଚାଲାଣର ଚେର ଖୋଜିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
