ପ୍ରଶାସନିକ ଅବହେଳାରୁ ଚାଷୀ ଦୁର୍ଦ୍ଦଶା: ଜଳ ନିଷ୍କାସନ ନହେବାରୁ ପଚୁଛି ଧାନ ତଳି
ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା। ଭଣ୍ଡାରିପୋଖରୀ କେନାଲ ଓ କାଢ଼ା ନାଳ ସଫା ନହେବାରୁ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ। ପଚୁଛି ଧାନ ତଳି, ୮ ଦିନ ମଧ୍ୟରେ ସମାଧାନ ନହେଲେ ଧାରଣା ଚେତାବନୀ।
ଭଣ୍ଡାରିପୋଖରୀ: ପ୍ରଶାସନିକ ଅବହେଳା ଯୋଗୁଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ହେକ୍ଟର ହେକ୍ଟର ଚାଷଜମିରେ ପାଣି ଜମି ରହିଛି। ଫଳରେ ରୁଆ ଧାନ ତଳି ପଚିବାକୁ ଲାଗିଥିବା ଅଭିଯୋଗ ହୋଇଛି। ଆଖୁଆପଦା ବୈତରଣୀ ନଦୀରୁ ବୟାବନାପୁର ପଞ୍ଚାୟତ ଦେଇ ଯାଇଥିବା HL-3 କେନାଲ ଏବଂ ଚାଷଜମିକୁ ସଂଯୋଗ କରୁଥିବା କାଢ଼ା ନାଳଗୁଡ଼ିକ ଦୀର୍ଘଦିନ ଧରି ସଫା କରାଯାଇନଥିବାରୁ ଏଭଳି ସମସ୍ୟା ଉପୁଜିଛି। କେନାଲ ଓ ନାଳରେ ଦଳ ଏବଂ ଆବର୍ଜନା ଭରି ରହିଥିବାରୁ ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ଜଳ ନିଷ୍କାସନ ହୋଇନପାରିବାରୁ ମଠସାହି, ଚନ୍ଦ୍ରଭାନୁପୁର, ପିତାଗଡ଼ିଆ ସମେତ ଆଖପାଖର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଚାଷକାର୍ଯ୍ୟ ଆରମ୍ଭ ବେଳେ ହିଁ ଧାନ ତଳି ପଚି ନଷ୍ଟ ହେବାକୁ ଲାଗିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଜଳ ସମ୍ପଦ ବିଭାଗର ବେଖାତିର ମନୋଭାବ ଯୋଗୁଁ ଚାଷୀଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ କେନାଲ ଓ ନାଳ ସଫା କରି ଜଳ ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଚାଷୀମାନେ ଦାବି କରିଛନ୍ତି। ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ୮ ଦିନ ସମୟ ନେଇଥିବା ଜଣାପଡ଼ିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ୟାର ସମାଧାନ ନହେଲେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଭଣ୍ଡାରିପୋଖରୀର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ ଚେତାବନୀ ଦେଇଛନ୍ତି।
