Starlink’s India Entry:ଏକଚାଟିଆ ବଜାର ପାଇଁ ଷ୍ଟାରଲିଙ୍କକୁ ଅଟକାଯାଉଛି:ଏଲନ ମସ୍କ
ଭାରତରେ ସାଟେଲାଇଟ ଇଣ୍ଟରନେଟ୍ ସେବା ଆରମ୍ଭକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛି ଶିଳ୍ପପତି ଏକଚାଟିଆ ବଜାର ପାଇଁ ଷ୍ଟାରଲିଙ୍କକୁ ଅଟକାଇବା ଅଭିଯୋଗ ଆଣିଛନ୍ତି ଏଲନ ମସ୍କ, ଯାହା ଭାରତୀୟ ଦୂରସଞ୍ଚାର ବଜାରକୁ ନେଇ ନୂଆ ପ୍ରଶ୍ନ ଉଠାଇଛି।
ଭାରତରେ ନିଜର ସାଟେଲାଇଟ ଇଣ୍ଟରନେଟ୍ ସେବା ‘ଷ୍ଟାରଲିଙ୍କ’ର ପ୍ରବେଶରେ ବିଳମ୍ବକୁ ନେଇ ଟେସ୍ଲା ଓ ସ୍ପେସ୍ଏକ୍ସ ମୁଖ୍ୟ ଏଲନ ମସ୍କ ବଡ଼ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ମସ୍କ କହିଛନ୍ତି, ଭାରତରେ ନିଜର ଏକଚାଟିଆ ବଜାର ବଜାୟ ରଖିବା ପାଇଁ ଷ୍ଟାରଲିଙ୍କର ପ୍ରବେଶ ରାସ୍ତାରେ ବାଧା ସୃଷ୍ଟି କରୁଛନ୍ତି କିଛି ବଡ଼ ଶିଳ୍ପପତି।ତେବେ ମସ୍କ ତାଙ୍କ ଅଭିଯୋଗରେ କୌଣସି ଶିଳ୍ପପତି କିମ୍ବା କମ୍ପାନୀର ନାଁ ନେଇନାହାନ୍ତି। ଭାରତରେ ଷ୍ଟାରଲିଙ୍କର ସେବା ଆରମ୍ଭ ପାଇଁ ଲାଇସେନ୍ସ ଓ ଅନ୍ୟାନ୍ୟ ନିୟାମକ ପ୍ରକ୍ରିୟା ଚାଲିଥିବା ବେଳେ ଏହାକୁ ନେଇ ମସ୍କଙ୍କ ମନ୍ତବ୍ୟ ଆସିଛି। ଭାରତ ସରକାର ମଧ୍ୟ ମସ୍କଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଉପଗ୍ରହ ଯୋଗାଯୋଗ ସେବା ପାଇଁ ନିୟମ ସମସ୍ତ କମ୍ପାନୀଙ୍କ ପାଇଁ ସମାନ ଏବଂ ଅନୁମତି ପ୍ରକ୍ରିୟା ନିରପେକ୍ଷ ଭାବେ ଚାଲିଛି।ଏବେ ମସ୍କଙ୍କ ଅଭିଯୋଗ ପରେ ଷ୍ଟାରଲିଙ୍କର ଭାରତ ପ୍ରବେଶକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ତେବେ ଭାରତୀୟ ବଜାରରେ ଷ୍ଟାରଲିଙ୍କର ବାଣିଜ୍ୟିକ ସେବା କେବେ ଆରମ୍ଭ ହେବ, ତାହା ଉପରେ ଏବେ ନଜର।
