Soro Theft: ରାତିର ଅନ୍ଧାରରେ ଦୋକାନ ଭାଙ୍ଗି ଲୁଟ୍ପାଟ୍, CCTVରେ କଏଦ ଦୁଇ ଦୁର୍ବୃତ୍ତ
ମଙ୍ଗଳପୁର ବଜାରରେ ରାତିରେ ଏକାଧିକ ଦୋକାନର ତାଲା ଭାଙ୍ଗି ଟଙ୍କା ଓ ସାମଗ୍ରୀ ଲୁଟ୍। ଦୁଇ ଦୁର୍ବୃତ୍ତଙ୍କ ଚୋରି ଦୃଶ୍ୟ CCTVରେ କଏଦ ହୋଇଥିବା ବେଳେ ପୋଲିସ ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।
ବାଲେଶ୍ୱର: ରାତିର ଅନ୍ଧାରରେ ଦୋକାନ ଭାଙ୍ଗି ଲୁଟ୍ପାଟ୍। ଦୋକାନର ତାଲା ଭାଙ୍ଗି ଭିତରେ ପଶି ଟଙ୍କା ସହ ବିଭିନ୍ନ ସାମଗ୍ରୀ ଲୁଟିନେଇଛନ୍ତି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଅଧୀନ ଗୁପୀନାଥପୁର ପଞ୍ଚାୟତର ମଙ୍ଗଳପୁର ବଜାରରେ ଏଭଳି ଚୋରି ଘଟଣା ଘଟିଛି। ସୂଚନା ଅନୁସାରେ, ମଙ୍ଗଳପୁର ବଜାରରେ ଥିବା ଏକ କୁକୁଡ଼ା ଦୋକାନ, ମିଠା ଦୋକାନ ଓ ଏକ ଗ୍ରୋସରୀ ଦୋକାନର ତାଲା ଭାଙ୍ଗି ଚୋରି ହୋଇଛି। ଏହାସହ ଅନ୍ୟ ଏକ ଭେରାଇଟି ଷ୍ଟୋରରେ ମଧ୍ୟ ଚୋରି ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ହେଲେ ଚୋରି କରିବାରେ ବିଫଳ ହେବା ପରେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଚୋରି ସମୟର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି। CCTV ଫୁଟେଜ୍ରେ ଦୁଇଜଣ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି ଲୁଟ୍ପାଟ୍ କରୁଥିବା ଦେଖାଯାଉଛି। ଘଟଣା ପରେ ଏହି CCTV ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୋରି ଘଟଣା ସମ୍ପର୍କରେ ଦୋକାନ ମାଲିକମାନେ ପୋଲିସକୁ ଜଣାଇଛନ୍ତି। CCTV ଫୁଟେଜ୍କୁ ଆଧାର କରି ପୋଲିସ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଗୋଟିଏ ରାତିରେ ଏକାଧିକ ଦୋକାନରେ ଚୋରି ଘଟଣାକୁ ନେଇ ମଙ୍ଗଳପୁର ବଜାର ଓ ଏହାର ଆଖପାଖ ଅଞ୍ଚଳର ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ରାତିରେ ପୋଲିସ ପାଟ୍ରୋଲିଂ ବଢ଼ାଇବା ସହ ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ହୋଇଛି।
