Treatment With Mobile:ମୋବାଇଲ୍ ଲାଇଟ୍ ରେ ରୋଗୀସେବା! ସୋର ଡାକ୍ତରଖାନାରେ ୧୦ ଘଣ୍ଟା ବିଦ୍ୟୁତ୍ କାଟ୍
ବାଲେଶ୍ୱର ଜିଲ୍ଲାର ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଘଣ୍ଟା ବିଦ୍ୟୁତ୍ କାଟ୍। ନର୍ସ ରୁମ୍ ଓ ଇଞ୍ଜେକ୍ସନ୍ ରୁମ୍ ଅନ୍ଧାର। ମୋବାଇଲ୍ ଲାଇଟ୍ରେ ଚାଲିଲା ରୋଗୀସେବା। ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ଅଧୀକ୍ଷକ।
ସୋର: ଡାକ୍ତରଖାନାରେ ବିଦ୍ୟୁତ୍ କାଟ୍। ଚାରିଆଡ଼େ ଅନ୍ଧାର। ଆଉ ମୋବାଇଲ୍ ଲାଇଟ୍ ଭରସାରେ ଚାଲିଛି ରୋଗୀସେବା। ଏଭଳି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲାର ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ। ଡାକ୍ତରଖାନାରେ ବିଦ୍ୟୁତ୍ ବ୍ୟବସ୍ଥାର ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଡାକ୍ତରଖାନାରେ ବିଦ୍ୟୁତ୍ କାଟ୍ ହୋଇଥିଲା। ଫଳରେ ନର୍ସ ରୁମ୍ ଓ ଇଞ୍ଜେକ୍ସନ୍ ରୁମ୍ ଅନ୍ଧାର ହୋଇଯାଇଥିଲା। ଏପରିକି ମୋବାଇଲ୍ ଲାଇଟ୍ ଜଳାଇ ରୋଗୀଙ୍କୁ ଇଞ୍ଜେକ୍ସନ୍ ଦେବା ସହ ଚିକିତ୍ସା କରିବାକୁ ପଡ଼ିଥିଲା। ସୋର ଡାକ୍ତରଖାନା ଉପରେ ସୋର, ବାହାନଗା, ସିମୁଳିଆ, ଖଇରା, ଔପଦା ଏବଂ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ମୌଳିକ ବିଦ୍ୟୁତ୍ ସୁବିଧାର ଅଭାବକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ମୁତାବକ, ନର୍ସ ରୁମ୍ ଓ ଇଞ୍ଜେକ୍ସନ୍ ରୁମ୍ରେ ଡିଜି ସଂଯୋଗ ନଥିବା ସହ ଇନଭର୍ଟର ଅଚଳ ହୋଇପଡ଼ିଥିବାରୁ ଏଭଳି ସମସ୍ୟା ଉପୁଜିଥିଲା। ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ସମାଧାନ ନହେବା ଘଟଣାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସୌମ୍ୟସମ୍ବିତ ବେହେରା କହିଛନ୍ତି। ତେବେ ରୋଗୀସେବା ଭଳି ଅତ୍ୟନ୍ତ ଜରୁରୀ ବ୍ୟବସ୍ଥାରେ ଏଭଳି ଅବହେଳା କେବେ ଦୂର ହେବ, ତାହାକୁ ଅପେକ୍ଷା କରିଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ।

