Assembly Winter Session: ଶୀତ ଅଧିବେଶନରେ ତାତିବ ବିଧାନସଭା!
ନଭେମ୍ବର ୧୮ରୁ ଆରମ୍ଭ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ୩୩ କାର୍ଯ୍ୟଦିବସରେ ଗଞ୍ଜାମ ବନ୍ୟା, କୋଟିଆ, ଆଇନଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ।

ଭୁବନେଶ୍ୱର: ନଭେମ୍ବର ୧୮, ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ତେବେ ଅଧିବେଶନ ଆରମ୍ଭରୁ ହିଁ ସରଗରମ ହେବ ଗୃହ। ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ପ୍ରସ୍ତୁତ ଥିବାବେଳେ ଜବାବ ଦେବାକୁ ଶାସକ ଦଳ ମଧ୍ୟ ସଜବାଜ ହୋଇଛି। ଅଧିବେଶନର ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଏହା ସହ ଗଞ୍ଜାମ ବନ୍ୟା, ସୀମାନ୍ତ ଅଞ୍ଚଳ କୋଟିଆ, ରାଜ୍ୟର ସ୍ୱାଭିମାନ ଓ ସୀମା ସୁରକ୍ଷା ପ୍ରସଙ୍ଗ ଗୃହରେ ଉଠିବା ସମ୍ଭାବନା ରହିଛି। ସେହିପରି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି, ବଢ଼ୁଥିବା ଅପରାଧ, ମହିଳାଙ୍କ ସୁରକ୍ଷା ଏବଂ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ବିରୋଧୀ ସରକାରଙ୍କୁ ଘେରିପାରନ୍ତି। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଶୀତ ଅଧିବେଶନରେ ହଟ୍ଟଗୋଳ ହେବାର ଆଶଙ୍କା ରହିଛି। ଅନ୍ୟପଟେ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଛି। ଗୃହ କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବାଚସ୍ପତି ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି। ବୈଠକ ପରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଛନ୍ତି। ସେପଟେ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଡିଜି ବିଧାନସଭା ପରିସରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତେବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଭିତରେ କିଭଳି ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ, ତାହା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏଥର ଶୀତ ଅଧିବେଶନରେ କେଉଁ ପ୍ରସଙ୍ଗକୁ ନେଇ ତାତିବ ବିଧାନସଭା, ତାହା ଉପରେ ରହିଛି ସମସ୍ତଙ୍କ ନଜର।
