Konark Temple Conservation Stir :କୋଣାର୍କ ପାଇଁ ମହାସଂଗ୍ରାମ, ୩୦ ବର୍ଷ ପରେ ବି ଅଧୁରା ଦାବି
ଦୀର୍ଘ ୩୦ ବର୍ଷର ଲଢ଼େଇ ପରେ ବି ପୂରଣ ହୋଇନି ଦାବି। କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା, ସଂରକ୍ଷଣ ସହ ୪ ଦଫା ଦାବି ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇଛି କୋଣାର୍କ ସୁରକ୍ଷା ସମିତି।
କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ଦାବିରେ ତେଜିଲା ଆନ୍ଦୋଳନ। ଦୀର୍ଘ ୩୦ ବର୍ଷର ଲଢ଼େଇ ପରେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଛି କୋଣାର୍କ ସୁରକ୍ଷା ସମିତି। ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ସମ୍ମୁଖରେ ସମିତି ପକ୍ଷରୁ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ମନ୍ଦିରର ସଠିକ୍ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଅବହେଳା ହେଉଥିବା ଅଭିଯୋଗ କରି ସମିତି ଏହି ଆନ୍ଦୋଳନ କରିଛି। ସଭାପତି ସୌମ୍ୟ ସୌରଭ ଦାଶଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ସମ୍ପାଦକ ରାମକୃଷ୍ଣ ମହାନ୍ତି, ପ୍ରତାପ କାଣ୍ଡିଙ୍କ ସମେତ ବହୁ ଯୁବକ ଓ ସମାଜସେବୀ ସାମିଲ ହୋଇଥିଲେ।
ସମିତି ପକ୍ଷରୁ ମୋଟ୍ ଚାରୋଟି ପ୍ରମୁଖ ଦାବି ଉଠାଯାଇଛି। ପ୍ରତି ଶନିବାର ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼, ଏକ ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ସ୍ଥାନୀୟ ବ୍ୟବସାୟୀଙ୍କ ଉପଯୁକ୍ତ ଥଇଥାନ ଏବଂ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରାଯାଇଛି।ଏହି ଦାବିଗୁଡ଼ିକୁ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଏଏସଆଇ ଡିଜି ଏବଂ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗୋପ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛି ସମିତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏଏସଆଇ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିବର୍ଷ ନଭେମ୍ବର ୧୭ ତାରିଖରେ ଗଣଧାରଣା ଜାରି ରହିବ ବୋଲି ସମିତି ପକ୍ଷରୁ ସ୍ପଷ୍ଟ କରାଯାଇଛି।
