Cyclone Akvan Tackle:ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ‘ଅକୱାନ’! ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ଅକୱାନ। ନଭେମ୍ବର ୨୦ରେ ଆନ୍ଧ୍ର ଉପକୂଳ ଅତିକ୍ରମ ସମ୍ଭାବନା। ଓଡ଼ିଶାରେ ବର୍ଷା ଆଲର୍ଟ, ୭୪ଟି ଉଦ୍ଧାରକାରୀ ଟିମ୍ ପ୍ରସ୍ତୁତ।

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ସମ୍ଭାବ୍ୟ ବାତ୍ୟା ‘ଅକୱାନ’। ଧୀରେ ଧୀରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ଏହି ବାତ୍ୟା। ଆସନ୍ତା ୧୯ ତାରିଖ ସକାଳ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ୟାନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସଜାଗ ହୋଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୋଟ ୭୪ଟି ଉଦ୍ଧାରକାରୀ ଟିମ୍ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ବିଶେଷକରି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ପୁରୀ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ବ୍ରହ୍ମପୁର ସହରର ଖୋଡ଼ାସିଙ୍ଗିସ୍ଥିତ ୱାଟର ଚେକ୍ ଗେଟ୍ ଏବଂ ଗଜପତି ନଗରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଜଳସେଚନ ବିଭାଗ ଅଧୀନରେ ଥିବା ୧୦ଟି ଡ୍ୟାମ୍ର ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଯିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି। ତେବେ ବାତ୍ୟା ‘ଅକୱାନ’ ସିଧାସଳଖ ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିଲେ ମଧ୍ୟ ଏହାର ପ୍ରଭାବକୁ ନେଇ ଆଶଙ୍କା ରହିଛି। ତେଣୁ ଆଗାମୀ କିଛି ଦିନ ଧରି ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଲୋକଙ୍କୁ ଆହ୍ୱାନ କରାଯାଇଛି।
