Kotia Border Dispute: ଆନ୍ଧ୍ରର ଚାଲ୍, ଓଡ଼ିଶାର ରଣନୀତି! କୋଟିଆକୁ ନେଇ ପୁଣି ରାଜନୈତିକ ତାତି
କୋଟିଆର ତଳ ଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନଭେମ୍ବର ୨୯ରେ ନିର୍ବାଚନ ପାଇଁ ଆନ୍ଧ୍ରର ପ୍ରସ୍ତୁତି। ସୀମା ବିବାଦକୁ ନେଇ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ବୟାନବାଜି।

ଭୁବନେଶ୍ୱର: କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଛକାପଞ୍ଝା। ନଭେମ୍ବର ୨୯ରେ କୋଟିଆର କିଛି ଅଞ୍ଚଳରେ ନିର୍ବାଚନ କରାଇବାକୁ ଆନ୍ଧ୍ରର ପ୍ରସ୍ତୁତିକୁ ନେଇ ରାଜନୈତିକ ତାତି ବଢ଼ିଛି। ତଳ ଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ସରପଞ୍ଚ ଏବଂ ୱାର୍ଡ ମେମ୍ବର ନିର୍ବାଚନ ପାଇଁ ଆନ୍ଧ୍ର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏହାକୁ ନେଇ ଓଡ଼ିଶାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବୋଲି ମଧ୍ୟ ଦଳ କହିଛି। ସେହିପରି ଟ୍ରିପଲ୍ ଇଞ୍ଜିନ୍ ସରକାର ଥାଇ ମଧ୍ୟ ଓଡ଼ିଶା ବିଜେପି ସରକାର କାହିଁକି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ ଉଠାଇଛି। ଅନ୍ୟପଟେ ଶାସକ ଦଳର ବିଧାୟକ କହିଛନ୍ତି, କୋଟିଆରେ ଆନ୍ଧ୍ରକୁ ନିର୍ବାଚନ କରାଇବାକୁ ଦିଆଯିବ ନାହିଁ। ଏନେଇ ପ୍ରଶାସନିକ ଓ ସରକାରୀ ସ୍ତରରେ ଆଲୋଚନା ହୋଇଛି। ସର୍ବଦଳୀୟ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। କୋଟିଆବାସୀଙ୍କ ଜୀବିକା ଓ ଅଞ୍ଚଳର ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି। ତେବେ କୋଟିଆରେ କାହାର ପ୍ରଭାବ ରହିବ, ତାହା କେବଳ ନିର୍ବାଚନରେ ନୁହେଁ, ବରଂ ସ୍ଥାନୀୟ ଲୋକଙ୍କ ଆସ୍ଥା, ବିକାଶ ଓ ପ୍ରଶାସନିକ ଉପସ୍ଥିତି ଉପରେ ନିର୍ଭର କରିବ। ନଭେମ୍ବର ୨୯କୁ ନେଇ ଆନ୍ଧ୍ରର ପ୍ରସ୍ତୁତି ଏବଂ ଓଡ଼ିଶା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।
