୧୪ ଦିନର ସଂଘର୍ଷ ନା ରହସ୍ୟ? ବନ୍ୟାରୁ ଉଦ୍ଧାର ଶିକ୍ଷକ ମୋହନଙ୍କୁ ନେଇ ଚର୍ଚ୍ଚା
କନ୍ଧମାଳ ରାଇକିଆର ଶିକ୍ଷକ ମୋହନ ମହାରଣା ୧୪ ଦିନ ପରେ ବନ୍ୟାରୁ ଜୀବିତ ଉଦ୍ଧାର। ଅସୁସ୍ଥ ଅବସ୍ଥାରେ MKCG ମେଡିକାଲରେ ଚାଲିଛି ଚିକିତ୍ସା। ୧୪ ଦିନର ସଂଘର୍ଷକୁ ନେଇ ଉଠୁଛି ଅନେକ ପ୍ରଶ୍ନ।
ବ୍ରହ୍ମପୁର: ୧୪ ଦିନର ସଂଘର୍ଷ! ଚାରିଆଡ଼େ ବନ୍ୟାଜଳ। ନା ଖାଇବାକୁ ଖାଦ୍ୟ, ନା ପିଇବାକୁ ପାଣି। ବଞ୍ଚିବା ପାଇଁ ଗୋଳିଆ ପାଣି ହିଁ ଏକମାତ୍ର ଆଧାର! ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆସିଥିବା ବନ୍ୟାରେ ନିଖୋଜ ହୋଇଯାଇଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଶିକ୍ଷକ ମୋହନ ମହାରଣାଙ୍କ ଉଦ୍ଧାର ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ। ଦୀର୍ଘ ୧୪ ଦିନ ପରେ ତାଙ୍କୁ ଜୀବିତ ଉଦ୍ଧାର କରାଯିବା ପରେ ଖୁସି ସହ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଡାକ୍ତରଖାନା ବେଡ୍ରେ ଚିକିତ୍ସାଧୀନ ମୋହନଙ୍କ ଶାରୀରିକ ସ୍ଥିତି ଏବେ ଚିନ୍ତାର ବିଷୟ। ତାଙ୍କୁ ଦେଖିବାକୁ ଯାଇଥିବା ଗଣମାଧ୍ୟମକୁ ଦେଖି ସେ ମୁହଁ ଲୁଚାଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣାର ପ୍ରତ୍ୟେକ ଦିଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ବାସ୍ତବରେ କ'ଣ ଜଣେ ବ୍ୟକ୍ତି ବିନା ଖାଦ୍ୟରେ ଓ କେବଳ ଦୂଷିତ ପାଣି ଭରସାରେ ୧୪ ଦିନ ବଞ୍ଚି ରହିପାରିବେ? ଡାକ୍ତରୀ ସୂଚନା ଅନୁସାରେ, ମୋହନଙ୍କର ପୂର୍ବରୁ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଲିଭର ସମସ୍ୟା ରହିଥିଲା। ତେଣୁ ତାଙ୍କର ଏହି ଅବସ୍ଥାରେ ଦୀର୍ଘ ୧୪ ଦିନ କିପରି ବଞ୍ଚି ରହିବା ସମ୍ଭବ ହେଲା, ତାହା ଏବେ ଆଲୋଚନାର ବିଷୟ। ଅନ୍ୟପଟେ ଫୁଲବାଣୀ ମେଡିକାଲରେ ଚିକିତ୍ସାଧୀନ ଥିବା ମୋହନଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମେଡିସିନ୍ ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଙ୍କ ପାଇଁ ମଧ୍ୟ ତାଙ୍କର ଚିକିତ୍ସା ଏକ ଚ୍ୟାଲେଞ୍ଜ ହୋଇଛି।
ପରିବାର ପାଇଁ ଫେରିଲା ଖୁସି
ଏପଟେ ଦୀର୍ଘ ୧୪ ଦିନ ପରେ ମୋହନଙ୍କୁ ଜୀବିତ ଫେରି ପାଇ ପରିବାରର ଖୁସି କହିଲେ ନସରେ। ବନ୍ୟାଜଳରେ ଭାସିଯିବା ପରେ ସ୍ୱାମୀ ଆଉ କେବେ ଫେରିବେ କି ନାହିଁ, ସେହି ଆଶା ମଧ୍ୟ ଛାଡ଼ି ଦେଇଥିଲେ ତାଙ୍କ ପତ୍ନୀ। ୧୪ ଦିନର ଅପେକ୍ଷା ତାଙ୍କ ପାଇଁ ୧୪ ଯୁଗ ଭଳି ଥିଲା ବୋଲି ଭାବବିହ୍ୱଳ ହୋଇ କହିଛନ୍ତି ସେ। ମୋହନଙ୍କ ଫେରିବା ପରିବାର ପାଇଁ ଏକ ନୂଆ ଜୀବନ ଭଳି ହୋଇଥିବା ବେଳେ ଏବେ ତାଙ୍କ ସୁସ୍ଥତା ହିଁ ସମସ୍ତଙ୍କ ପ୍ରଥମ ପ୍ରାଥମିକତା। ତେବେ ୧୪ ଦିନର ଏହି ସଂଘର୍ଷର ପ୍ରକୃତ କାହାଣୀ କ'ଣ? କେଉଁ ପରିସ୍ଥିତିରେ ମୋହନ ଏତେଦିନ ତିଷ୍ଠି ରହିଲେ? ତାଙ୍କ ଉଦ୍ଧାର ଘଟଣାର ସମସ୍ତ ଦିଗ ଏବେ ସ୍ପଷ୍ଟ ହେବା ବାକି ରହିଛି। ଏକପଟେ ପରିବାରର ଖୁସି, ଅନ୍ୟପଟେ ଡାକ୍ତରଙ୍କ ଚିକିତ୍ସା ଓ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ୧୪ ଦିନର ସଂଘର୍ଷ ନା ସେହି ୧୪ ଦିନ ଭିତରେ ଲୁଚି ରହିଛି କିଛି ଅଜଣା ରହସ୍ୟ? ଏବେ ଏହା ଉପରେ ସମସ୍ତଙ୍କ ନଜର।
