Skill Development Odisha:ଯୁବପ୍ରତିଭାଙ୍କ ପାଇଁ ବଡ଼ ସୁଯୋଗ, ଓଡ଼ିଶାସ୍କିଲ୍ସ ୨୦୨୬–୨୭ ପଞ୍ଜୀକରଣ ଜାରି
ଓଡ଼ିଶାସ୍କିଲ୍ସ ୨୦୨୬–୨୭ ପାଇଁ ପଞ୍ଜୀକରଣ ସେପ୍ଟେମ୍ବର ୨୨ ଯାଏଁ ଚାଲିବ। ୧୬–୨୩ ବର୍ଷର ଯୋଗ୍ୟ ଯୁବପ୍ରତିଭା ୬ଟି କ୍ଷେତ୍ରର ୬୩ଟି ଦକ୍ଷତାରେ ଅଂଶ ନେଇପାରିବେ।
ଭୁବନେଶ୍ୱର: ରାଜ୍ୟର ଯୁବପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ମିଳିବ ବଡ଼ ମଞ୍ଚ। ‘ଓଡ଼ିଶାସ୍କିଲ୍ସ ୨୦୨୬–୨୭’ ପାଇଁ ପଞ୍ଜୀକରଣ ଜାରି ରହିଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି (OSDA) ଏବଂ ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଏଥିରେ ନ୍ୟାସନାଲ୍ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ (NSDC) ମଧ୍ୟ ସହଯୋଗ କରୁଛି। ଚଳିତ ବର୍ଷ ୬ଟି କ୍ଷେତ୍ରରେ ୬୩ଟି ଦକ୍ଷତାକୁ ପ୍ରତିଯୋଗିତାରେ ସାମିଲ କରାଯାଇଛି। ଏଥିରେ ୧୩ଟି ନୂଆ ଦକ୍ଷତା ଯୋଡ଼ାଯାଇଛି। ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ, ହେଭି ଭେହିକଲ୍ ଟେକ୍ନୋଲୋଜି, ସଫ୍ଟୱେର୍ ଟେଷ୍ଟିଂ, ଡିଜିଟାଲ୍ ଇଣ୍ଟରଆକ୍ଟିଭ୍ ମିଡିଆ ଓ ଜ୍ୱେଲେରି ଡିଜାଇନ୍ ଭଳି ନୂଆ ଦକ୍ଷତା ଏଥର ସାମିଲ ହୋଇଛି। ୧୬ରୁ ୨୩ ବର୍ଷ ବୟସର ଯୁବପ୍ରତିଭା ଏଥିରେ ଭାଗ ନେଇପାରିବେ। ITI, ପଲିଟେକ୍ନିକ୍, ଡିପ୍ଲୋମା ଓ ସ୍କିଲ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ଛାତ୍ରଛାତ୍ରୀଙ୍କ ସହ ଇଞ୍ଜିନିୟରିଂ ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ।
ଓଡ଼ିଶାସ୍କିଲ୍ସରୁ ରାଜ୍ୟସ୍ତରୀୟ ପର୍ଯ୍ୟାୟ ପରେ ଯୋଗ୍ୟ ପ୍ରତିଯୋଗୀମାନେ IndiaSkillsରେ ଅଂଶଗ୍ରହଣର ସୁଯୋଗ ପାଇବେ। ଜାତୀୟସ୍ତରରେ ଯୋଗ୍ୟତା ହାସଲ କରୁଥିବା ପ୍ରତିଯୋଗୀମାନେ ୨୦୨୮ରେ ଜାପାନର ଆଇଚିଠାରେ ହେବାକୁ ଥିବା WorldSkills Competition ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାର ସୁଯୋଗ ରଖିବେ।
