Similipal Open: ଶୀତ ଆସୁ ଆସୁ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼, ମନ ମୋହିବ ବରେହିପାଣି ଓ ଯୋରନ୍ଦା!
ଆରମ୍ଭ ହେଲା ନୂଆ ପର୍ଯ୍ୟଟନ ଋତୁ; ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼, ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ମୁଖ୍ୟ ଆକର୍ଷଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରସ୍ତୁତି।
ମୟୂରଭଞ୍ଜ: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଛି ଶିମିଳିପାଳ ଜୈବମଣ୍ଡଳର ପର୍ଯ୍ୟଟନ ପଥ। ନଭେମ୍ବର ୧ରୁ ଆରମ୍ଭ ହୋଇଛି ନୂଆ ପର୍ଯ୍ୟଟନ ଋତୁ। ଘଞ୍ଚ ଜଙ୍ଗଲ, ସବୁଜ ପାହାଡ଼, ମନୋରମ ଜଳପ୍ରପାତ ଓ ବନ୍ୟଜନ୍ତୁଙ୍କୁ ନିକଟରୁ ଦେଖିବାର ସୁଯୋଗ ମିଳିବ ପର୍ଯ୍ୟଟକଙ୍କୁ। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପୀଠାବଟା ଓ ଯଶୀପୁର ପ୍ରବେଶ ଫାଟକରେ ବନ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁବିଧା ପାଇଁ ସଫାରୀ ବ୍ୟବସ୍ଥା ମଧ୍ୟ କରାଯାଇଛି। ଶିମିଳିପାଳର ମୁଖ୍ୟ ଆକର୍ଷଣ ସାଜିବ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ। ଉଚ୍ଚ ପାହାଡ଼ରୁ ଝରିପଡ଼ୁଥିବା ଜଳରାଶି, ଘଞ୍ଚ ଅରଣ୍ୟ ଓ ଶୀତୁଆ ପରିବେଶ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିବ। ଏଥିସହ ହାତୀ, ହରିଣ ଓ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ଭ୍ରମଣକୁ ଆହୁରି ରୋମାଞ୍ଚକର କରିବ।
ତେବେ ପର୍ଯ୍ୟଟନ ସହ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଜଙ୍ଗଲ ଭିତରେ ଶବ୍ଦ ପ୍ରଦୂଷଣ ନକରିବା, ପ୍ଲାଷ୍ଟିକ୍ ଓ ଆବର୍ଜନା ନଫିଙ୍ଗିବା, ବନ୍ୟଜନ୍ତୁଙ୍କୁ ଖାଦ୍ୟ ନଦେବା ଏବଂ ବନ ବିଭାଗର ନିୟମ ପାଳନ କରିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଇଛି। ସୂଚନା ଅନୁଯାୟୀ, ଗତ ପର୍ଯ୍ୟଟନ ଋତୁରେ ପ୍ରାୟ ୪୦ ହଜାର ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ କରିଥିବା ବେଳେ ପ୍ରାୟ ୬.୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଅଧିକ ପର୍ଯ୍ୟଟକଙ୍କ ଆଗମନ ନେଇ ଆଶା ରହିଛି। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ଜଳପ୍ରପାତର ମନୋରମ ଦୃଶ୍ୟ ଓ ଜଙ୍ଗଲର ରୋମାଞ୍ଚ ଉପଭୋଗ କରିବାକୁ ପୁଣିଥରେ ପ୍ରସ୍ତୁତ ଶିମିଳିପାଳ।
