Kotia Border Tension:କୋଟିଆ ସୀମାରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପୁଣି ବଢ଼ିଲା ତିକ୍ତତା। ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ସୀମାନ୍ତ ନେରିଡିୱାଲସାରେ ଉଭୟ ରାଜ୍ୟର ପୋଲିସ ମୁହାଁମୁହିଁ। ବାରିକେଡ୍ ଭାଙ୍ଗିବା ଅଭିଯୋଗ ପରେ ସୀମାରେ ଉତ୍ତେଜନା ବଢ଼ିଛି।
କୋଟିଆ:କୋଟିଆ ସୀମାନ୍ତରେ ପୁଣି ଦେଖାଦେଇଛି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ତିକ୍ତତା। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନୀ କାର୍ଯ୍ୟକଳାପ ଆଗକୁ ବଢ଼ାଇବାକୁ ନେଇ ବିବାଦ ତୀବ୍ର ହୋଇଛି। ଏହାକୁ କେନ୍ଦ୍ର କରି ସୀମାନ୍ତ ନେରିଡିୱାଲସାରେ ଉଭୟ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଫଳରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।ସୂଚନା ଅନୁସାରେ, ନେରିଡିୱାଲସାଠାରେ ସୁରକ୍ଷା ଓ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ତେବେ ଆନ୍ଧ୍ର ପୋଲିସ ଏହି ବାରିକେଡ୍କୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ସୀମାନ୍ତ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।ସୂଚନାଯୋଗ୍ୟ, କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୂର୍ବରୁ ମଧ୍ୟ ବିବାଦ ରହିଆସିଛି। ବିଶେଷକରି ଆନ୍ଧ୍ର ପକ୍ଷରୁ ଏଠାରେ ନିର୍ବାଚନୀ ପ୍ରକ୍ରିୟା ଆଗକୁ ବଢ଼ାଇବା ଉଦ୍ୟମକୁ ନେଇ ଓଡ଼ିଶା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏବେ ପୋଲିସ ମଧ୍ୟରେ ଏଭଳି ମୁହାଁମୁହିଁ ଘଟଣା ସୀମାନ୍ତ ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଛି।
