Cyclone Review:ବାତ୍ୟା କ୍ଷୟକ୍ଷତି ପରଖିଲା କେନ୍ଦ୍ରୀୟ ଟିମ୍
ବାତ୍ୟାରେ ଉଜୁଡ଼ିଛି ଚାଷ ଜମି, ଧୋଇ ହୋଇଯାଇଛି ରାସ୍ତା। କ୍ଷୟକ୍ଷତିର ବାସ୍ତବ ସ୍ଥିତି ଜାଣିବାକୁ ଗଜପତିରେ ପହଞ୍ଚିଛି ୮ ଜଣିଆ କେନ୍ଦ୍ରୀୟ ଟିମ୍। ଜିଲ୍ଲାର ୧୫ଟି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ ରହିଛି ଯୋଜନା।
ଗଜପତି:ବାତ୍ୟା ‘ଅର୍ଣ୍ଣଭ’ର ପ୍ରଭାବରେ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ପହଞ୍ଚିଛି ୮ ଜଣିଆ କେନ୍ଦ୍ରୀୟ ଟିମ୍। ମଙ୍ଗଳବାର କେନ୍ଦ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଟିମ୍ ଜିଲ୍ଲା ଗସ୍ତରେ ଆସିଛି। ପ୍ରଥମେ ଟିମ୍ର ସଦସ୍ୟମାନେ ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡ଼ା ପୋଲିସ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ପ୍ରଶାସନ ସହ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ଗୋଶାଣୀ ବ୍ଲକର ସିଙ୍ଗିପୁର ଗ୍ରାମକୁ ଯାଇ ବାତ୍ୟାରେ ନଷ୍ଟ ହୋଇଥିବା ଫସଲ ଓ କୃଷିଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ରାୟଗଡ଼ ବ୍ଲକର ମଣ୍ଡଳସାହି ନିକଟରେ ଧୋଇ ହୋଇ ନଷ୍ଟ ହୋଇଥିବା ରାସ୍ତା ପରିଦର୍ଶନ କରିଥିଲେ। ବାତ୍ୟା ପରେ ଯୋଗାଯୋଗ ବ୍ୟବସ୍ଥା ଓ ଭିତ୍ତିଭୂମିର କେତେ କ୍ଷତି ହୋଇଛି, ତାହାର ଆକଳନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଟିମ୍କୁ ଜିଲ୍ଲାର ୧୫ଟି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲାଇବା ପାଇଁ ଯୋଜନା ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଶାଣୀ ଓ ରାୟଗଡ଼ ବ୍ଲକର ଗୋଟିଏ ଲେଖାଏଁ ସ୍ଥାନ ପରିଦର୍ଶନ କରିବା ପରେ ଟିମ୍ ଉଦୟଗିରି ଓ ମୋହନା ବ୍ଲକ ଅଭିମୁଖେ ଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ମୋହନା ଅଞ୍ଚଳର କ୍ଷତିଗ୍ରସ୍ତ ସ୍ଥାନ ବୁଲିବା ପରେ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ଜିଲ୍ଲାରେ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିଭିନ୍ନ ଦିଗ ସମ୍ପର୍କରେ କେନ୍ଦ୍ରୀୟ ଟିମ୍କୁ ଅବଗତ କରାଇଥିଲେ।
