ମୟୂରଭଞ୍ଜରେ ଥମୁନି ବେଆଇନ ଗୋ-ଚାଲାଣ, ପୋଲିସ ଚଢ଼ାଉ ସତ୍ତ୍ୱେ ସକ୍ରିୟ ଚାଲାଣକାରୀ
ମୟୂରଭଞ୍ଜରେ ବେଆଇନ ଗୋ ଚାଲାଣକାରୀଙ୍କୁ ନା ଅଛି ପୋଲିସ ଚଢ଼ାଉର ଭୟ, ନା ଆଇନର ଖାତିର! ଗୋଟିଏ ପଟେ ପୋଲିସ ଚଢ଼ାଉ କରୁଛି, ଗୋରୁ ବୋଝେଇ ଗାଡ଼ି ଜବତ କରୁଛି, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ।

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନି ବେଆଇନ ଗୋ-ଚାଲାଣ। ପୋଲିସର ଘନଘନ ଚଢ଼ାଉ, ଗାଡ଼ି ଜବତ ଓ ମାମଲା ରୁଜୁ ସତ୍ତ୍ୱେ ଏହି କାରବାର ଜାରି ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ସୀମାନ୍ତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ। ଝାରପୋଖରିଆ ଓ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ପୋଲିସ ଚଢ଼ାଉ କରି ଗାଡ଼ି ଜବତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରୁଛି। କିନ୍ତୁ ଏତେ ସବୁ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ବେଆଇନ ଗୋ-ଚାଲାଣ ଉପରେ ରୋକ୍ ଲାଗିପାରୁନାହିଁ। ଫଳରେ ଚାଲାଣକାରୀଙ୍କ ମନୋବଳ ବଢ଼ୁଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବିଶେଷକରି ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ଯାନବାହନ ଯାଞ୍ଚ ଓ ପୋଲିସର ଗୁଇନ୍ଦା ନଜରଦାରୀକୁ ନେଇ ଚିନ୍ତା ବଢ଼ିଛି। ରାତିରେ କେଉଁ ରାସ୍ତା ଦେଇ ଗୋରୁ ବୋଝେଇ ଗାଡ଼ି ଯାତାୟାତ କରୁଛି? ସୀମାନ୍ତ ଥାନାଗୁଡ଼ିକ ମଧ୍ୟରେ ସମନ୍ୱୟ ରହିଛି ତ? ଏହା ପଛରେ କୌଣସି ସୁସଂଗଠିତ ଚାଲାଣ ନେଟୱର୍କ କାମ କରୁଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। କେବଳ ଗାଡ଼ି ଜବତ କିମ୍ବା ମାମଲା ରୁଜୁ କରିଦେଲେ ଏହି ବେଆଇନ କାରବାର ବନ୍ଦ ହେବ ନାହିଁ। ପୂର୍ବ ମାମଲାଗୁଡ଼ିକର ତଦନ୍ତ, ଅଭିଯୁକ୍ତଙ୍କ ଗିରଫଦାରୀ, ଚାର୍ଜସିଟ୍ ଦାଖଲ ଏବଂ ଚାଲାଣ ପଛରେ ଥିବା ମାଷ୍ଟରମାଇଣ୍ଡଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଜରୁରୀ। ମୟୂରଭଞ୍ଜରେ ଆଇନର ଶାସନ ବଜାୟ ରଖିବାକୁ ପୋଲିସ ପ୍ରଶାସନ ଏହି ନେଟୱର୍କ ବିରୋଧରେ କେତେ ଶୀଘ୍ର ଓ ଦୃଢ଼ ପଦକ୍ଷେପ ନେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।
