Kotia Election: କୋଟିଆ ଜଗିବେ ନେତା ଓ ଅଧିକାରୀ, ନିର୍ବାଚନ ଦିନ ଏକାଠି ହେବେ ସବୁ ଦଳ!
କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ଆନ୍ଧ୍ରର ନିର୍ବାଚନୀ ଉଦ୍ୟମକୁ ବିରୋଧ କରି ଏକାଠି ହେବେ ଓଡ଼ିଶାର ସବୁ ଦଳ। ସୀମାରେ ପୋଲିସ ମୁତୟନ ଓ ଆଇନଗତ ଲଢ଼େଇ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ।
ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ବିବାଦ। ଆନ୍ଧ୍ରପ୍ରଦେଶର ନିର୍ବାଚନୀ ଉଦ୍ୟମକୁ ପ୍ରତିହତ କରିବା ପାଇଁ ଏକାଠି ହେବେ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ନେତା, ସାମାଜିକ ସଂଗଠନ ଓ ସ୍ଥାନୀୟ ଜନସାଧାରଣ। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିବେ ବୋଲି ଜଣାପଡ଼ିଛି। କୋଟିଆରେ ଆଇନଶୃଙ୍ଖଳା ଓ ସୀମା ସୁରକ୍ଷାକୁ ନେଇ ଓଡ଼ିଶା ପ୍ରଶାସନ ସଜାଗ ରହିଛି। ସୀମାରେ ଚେକ୍ପୋଷ୍ଟ ସ୍ଥାପନ କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରାୟ ୭ରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଚାଉଳ ଗାଡ଼ିକୁ ଫେରାଇ ଦିଆଯାଇଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଫେରାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ନିର୍ବାଚନ ସମୟରେ ଆନ୍ଧ୍ର ପକ୍ଷରୁ କୋଟିଆ ଅଞ୍ଚଳରେ ମତଦାନ କେନ୍ଦ୍ର କରାଯାଇଥିଲା। କିନ୍ତୁ ଚଳିତ ଥର କୋଟିଆ ବାହାରେ ଆନ୍ଧ୍ରପ୍ରଦେଶ ସୀମା ଭିତରେ ପୋଲିଂ ବୁଥ୍ କରାଯାଇଛି। ଏହି ପ୍ରସଙ୍ଗକୁ ନେଇ କୋଟିଆବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୋଟିଆବାସୀଙ୍କ ସହ ଓଡ଼ିଶା ସରକାର ସବୁବେଳେ ରହିଛନ୍ତି। ବାତ୍ୟା ସମୟରେ ମଧ୍ୟ ଓଡ଼ିଶା ପ୍ରଶାସନ କୋଟିଆବାସୀଙ୍କ ପାଖରେ ପହଞ୍ଚି ସହଯୋଗ କରିଥିଲା। ଏହାକୁ ସ୍ଥାନୀୟ ଲୋକେ ମଧ୍ୟ ଅନୁଭବ କରିଛନ୍ତି। କୋଟିଆ ପ୍ରସଙ୍ଗ ଆଜିର ନୁହେଁ, ଦୀର୍ଘଦିନର। ୧୯୬୮ ମସିହାରେ ତତ୍କାଳୀନ ସରକାର ଏହି ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୦ରେ ରାୟ ଓଡ଼ିଶା ସପକ୍ଷରେ ଆସିନଥିଲା। ସେହିପରି ୨୦୨୧ରେ ପୂର୍ବ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଅବମାନନା ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ବର୍ତ୍ତମାନର ସରକାର ମଧ୍ୟ ଏକ କଣ୍ଟେମ୍ପ୍ଟ ପିଟିସନ ଦାଖଲ କରିଛନ୍ତି। ଏଥିରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆନ୍ଧ୍ରର ଏଭଳି ଉଦ୍ୟମ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି ବୋଲି ମତ ଦେବା ସହ ଏହି ମାମଲାରେ ଆଗକୁ ଆଇନଗତ ଲଢ଼େଇ ଜାରି ରଖିବାକୁ ଆଇନଜୀବୀଙ୍କ ପରାମର୍ଶ ନିଆଯାଉଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
