Big Boost for Odisha : ଗ୍ରୀନ୍ ଏନର୍ଜି ହବ୍ ହେବ ଓଡ଼ିଶା, ଆସିବ ବିପୁଳ ପୁଞ୍ଜିନିବେଶ
ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ହେବ ବଡ଼ ନିବେଶ। ୧୮ଟି ଏମ୍ଓୟୁ ସ୍ୱାକ୍ଷର ସହ ଯୋଡ଼ିହେବ ୧୧,୭୪୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା। ଗ୍ରୀନ୍ ଏନର୍ଜି ହବ୍ ହେବାକୁ ଓଡ଼ିଶାର ମାଷ୍ଟରପ୍ଲାନ୍!

ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ବଡ଼ ପୁଞ୍ଜିନିବେଶ ସୁଯୋଗ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ‘ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬’ରେ ରାଜ୍ୟ ସରକାର ୧୮ଟି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଓଡ଼ିଶାକୁ ପ୍ରାୟ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୧୧,୭୪୨ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି ହେବାର ଆଶା ରହିଛି। ପମ୍ପଡ୍ ଷ୍ଟୋରେଜ୍, ସୌର ଓ ପବନ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଡାଟା ସେଣ୍ଟର ଭଳି କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଓଡ଼ିଶାର ସ୍ୱଚ୍ଛ ଶକ୍ତି କ୍ଷେତ୍ର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ରାଜ୍ୟର ମୋଟ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୭୪ ପ୍ରତିଶତ ଅଣ-ଜୀବାଶ୍ମ ଶକ୍ତି ଉତ୍ସରୁ ହାସଲ କରିବାକୁ ଲକ୍ଷ୍ୟ ରହିଛି। ଏଥିସହ ଶିଳ୍ପ କ୍ଷେତ୍ରର ଅନ୍ତତଃ ୩୩ ପ୍ରତିଶତ ବିଦ୍ୟୁତ୍ ଆବଶ୍ୟକତା ସବୁଜ ଶକ୍ତି ମାଧ୍ୟମରେ ପୂରଣ କରାଯିବ। ଅନ୍ୟପଟେ ରାଜ୍ୟର ବିଦ୍ୟୁତ୍ ପରିବହନ ଭିତ୍ତିଭୂମିର ବିକାଶ ପାଇଁ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’ ଅଧୀନରେ ୧୫,୯୪୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ସ୍ଥିର ନୀତି, ସ୍ୱଚ୍ଛ ମଞ୍ଜୁରୀ ପ୍ରକ୍ରିୟା ଓ ସମୟବଦ୍ଧ ଅନୁମୋଦନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।ସମ୍ମିଳନୀରେ କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭାରତର ସବୁଜ ଶକ୍ତି ରୂପାନ୍ତରଣରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ରାଜ୍ୟର ପ୍ରାକୃତିକ ସମ୍ପଦ, ଶିଳ୍ପ ଭିତ୍ତିଭୂମି ଓ ବନ୍ଦରଗୁଡ଼ିକ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି କରୁଥିବା ସେ କହିଥିଲେ।ଏହି ସମ୍ମିଳନୀରେ ନେଦରଲ୍ୟାଣ୍ଡ୍ସ ପାଭିଲିୟନ୍ ସହ ଓଡ଼ିଶା ପାଭିଲିୟନ୍ ମଧ୍ୟ ଉଦ୍ଘାଟିତ ହୋଇଥିଲା। ଏନ୍ଏଲ୍ସି ଇଣ୍ଡିଆ, ଆଦାନୀ, ଆଭାଡା, ଗ୍ରୀନକୋ ଓ ବ୍ରୁକ୍ଫିଲ୍ଡ ଭଳି ପ୍ରମୁଖ କମ୍ପାନୀ ଏଥିରେ ଭାଗ ନେଇଥିଲେ।୧୮ଟି ଏମ୍ଓୟୁ ଓ ବୃହତ୍ ପୁଞ୍ଜିନିବେଶ ପ୍ରସ୍ତାବ ସହ ଓଡ଼ିଶା ଦେଶର ଏକ ପ୍ରମୁଖ ସ୍ୱଚ୍ଛ ଶକ୍ତି ହବ୍ ହେବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛି।
