ଦାରା ସିଂହ ମାମଲା: ରିମିସନ୍ ନିଷ୍ପତ୍ତି ନନେଲେ SC ନିଜେ ନିଷ୍ପତ୍ତି ନେବ
ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂହଙ୍କ ଦଣ୍ଡ କୋହଳ ଆବେଦନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ରିମିସନ୍ ଆବେଦନ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନନେଲେ କୋର୍ଟ ନିଜେ ନିଷ୍ପତ୍ତି ନେବ ବୋଲି ଚେତାବନୀ। ତେବେ କ’ଣ ରହିଛି ଦାରା ସିଂହଙ୍କ ରିମିସନ୍ ଆବେଦନ ପଛର କାହାଣୀ? କାହିଁକି ନିଷ୍ପତ୍ତିରେ ବିଳମ୍ବ?
ନୂଆଦିଲ୍ଲୀ: ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାର ଦୋଷୀ ଦାରା ସିଂହଙ୍କ ଦଣ୍ଡ କୋହଳ (remission) ଆବେଦନକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟର Sentence Review Board ଯଦି ଶୀଘ୍ର ନିଷ୍ପତ୍ତି ନନିଏ, ତେବେ କୋର୍ଟ ନିଜେ ନିଷ୍ପତ୍ତି ନେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨ରେ ହେବ।
ମାମଲାର ପୂର୍ବ
୧୯୯୯ ମସିହା ଜାନୁଆରୀ ୨୨ରେ କେନ୍ଦୁଝର ଜିଲ୍ଲା ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳିଦିଆଯାଇଥିଲା। ଏହି ମାମଲାରେ ଦାରା ସିଂହଙ୍କୁ ୨୦୦୩ରେ ଟ୍ରାଏଲ୍ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ ଏବଂ ୨୦୧୧ରେ ସୁପ୍ରିମକୋର୍ଟ ଏହାକୁ ବଜାୟ ରଖିଥିଲେ।
ଏବେ କ’ଣ ଚାହୁଁଛନ୍ତି ଦାରା ସିଂହ?
୨୫ ବର୍ଷରୁ ଅଧିକ ସମୟ ଜେଲରେ କାଟିଥିବା ଦର୍ଶାଇ ଦାରା ସିଂହ ଦଣ୍ଡ କୋହଳ କରି ଆଗୁଆ ମୁକ୍ତି ପାଇଁ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ରାଜ୍ୟର Sentence Review Board ନିଷ୍ପତ୍ତି ନେବାର ଥିଲା। କିନ୍ତୁ ଆବଶ୍ୟକ ରେକର୍ଡ ମିଳିନଥିବା ଦର୍ଶାଇ ନିଷ୍ପତ୍ତି ହୋଇନଥିଲା।
SCଙ୍କ କଡ଼ା ଆଭିମୁଖ୍ୟ
ସୁପ୍ରିମକୋର୍ଟର ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ରାଜ୍ୟକୁ ସ୍ପଷ୍ଟ କରିଛନ୍ତି—“ଆପଣମାନେ ନିଷ୍ପତ୍ତି ନିଅନ୍ତୁ, ନହେଲେ ଆମେ ନିଷ୍ପତ୍ତି ନେବୁ।” ରାଜ୍ୟ ପକ୍ଷରୁ ବିଳମ୍ବ ପାଇଁ ଦିଆଯାଇଥିବା କାରଣକୁ ନେଇ ମଧ୍ୟ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
