ଘରୋଇ ହିଂସା- ସ୍ୱାମୀଙ୍କୁ କୋର୍ଟକୁ ଟାଣିଲେ ହରିଆଣା ଗାୟିକା ସପନା ଚୌଧୁରୀ
ନିରନ୍ତର ହିଂସା କାରଣରୁ ସେ ନିଜର ଦୁଇ ନାବାଳକ ପୁଅଙ୍କ ସହ ଶ୍ୱଶୁରାଳୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। କୋର୍ଟ ଆଦେଶ ଦେଇଛନ୍ତି ଯେ,ସପନାଙ୍କ ଘର, ଅଫିସ ବା ଫିଲ୍ମ ପ୍ରିମିୟର ଭେନ୍ୟୁକୁ ବି ଯିବେନି ବୀର।

ଚର୍ଚ୍ଚାରେ ହରିଆଣା ଗାୟିକା ଓ ଡ୍ୟାନ୍ସର ସପନା ଚୌଧୁରୀ। ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଘରୋଇ ହିଂସାର ଆଣିଲେ ଆରୋପ। ମାମଲା ପହଞ୍ଚିଲା ଦ୍ୱାରକା କୋର୍ଟରେ। ସ୍ୱାମୀ ଯଶବୀର ଓରଫ ବୀର ସାହୁ ବି ଖ୍ୟାତିସମ୍ପନ୍ନ ଗାୟକ, ଅଭିନେତା ଓ ଲେଖକ। ୬ ବର୍ଷ ତଳେ ଗୋପନ ବିବାହ କରିଥିଲେ ଉଭୟ। ଦିଲ୍ଲୀର ଦ୍ୱାରକା ମହିଳା କୋର୍ଟ ସପନାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ ତାଙ୍କ ସ୍ୱାମୀ ବୀରଙ୍କୁ ତାଙ୍କ ସହ କୌଣସି ପ୍ରକାର ସମ୍ପର୍କ କରିବାକୁ ଚେଷ୍ଟା କରିବା ବା ନିକଟତର ହେବାକୁ ରୋକ୍ ଲଗାଇଛନ୍ତି। ଏହି ଆଦେଶ ସପନାଙ୍କ ଆସୁଥିବା ଫିଲ୍ମ ମୋମାକୁର ପ୍ରିମିୟରର ଠିକ୍ ପୂର୍ବରୁ ଆସିଛି। ସପନା ଅଭିଯୋଗ କରିଥିଲେ ଯେ, ବୀର ତାଙ୍କୁ ମାରଧର କରୁଛନ୍ତି। ସାର୍ବଜନୀନ ଜାଗାରେ ବି ହଙ୍ଗାମା କରୁଛନ୍ତି। ନିରନ୍ତର ହିଂସା କାରଣରୁ ସେ ନିଜର ଦୁଇ ନାବାଳକ ପୁଅଙ୍କ ସହ ଶ୍ୱଶୁରାଳୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। କୋର୍ଟ ଆଦେଶ ଦେଇଛନ୍ତି ଯେ,ସପନାଙ୍କ ଘର, ଅଫିସ ବା ଫିଲ୍ମ ପ୍ରିମିୟର ଭେନ୍ୟୁକୁ ବି ଯିବେନି ବୀର। ଏହି ଆଦେଶ ପରବର୍ତ୍ତୀ ଶୁଣାଣୀ ଯାଏ ବଳବତ୍ତର ରହିବ। ସପନା ଓ ବୀରଙ୍କ ୨୦୨୦ ଜାନୁଆରୀରେ ଗୋପନ ବିବାହ ହୋଇଥିଲା। ସେ ୯ ମାସ ଯାଏ ଏହି ସମ୍ପର୍କ ବାବଦରେ କାହାକୁ ବି ଜଣାଇନଥିଲେ। କେବଳ ହାତଗଣତି ନିକଟ ସମ୍ପର୍କୀୟଙ୍କୁ ଛାଡ଼ିଦେଲେ କେହି ଜାଣିନଥିଲେ। ସପନା ଯେବେ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଗର୍ଭବତୀ ହେଲେ, ଚର୍ଚ୍ଚା ହୋଇଥିଲା ବିନା ବିବାହରେ ସପନା ମାଆ କେମିତି ହେଲେ। ଏଖବର ନିଆଁ ଭଳି ବ୍ୟାପିଯିବାରୁ ବୀର ସାହୁ ସାମ୍ନାକୁ ଆସିଥିଲେ। ଫେସବୁକ ଲାଇଭରେ ଆସି ସପନା ତାଙ୍କ ପତ୍ନୀ ବୋଲି କହିଥିଲେ। ତେବେ ସେତେବେଳେ ବିବାହକୁ ଏଥିଲାଗି ଗୋପନ ରଖାଯାଇଥିଲା, କାରଣ ସେତେବେଳେ ବୀର ସାହୁଙ୍କ ପରିବାରର ଜଣେ ବୟସ୍କଙ୍କ ପରଲୋକ ଘଟିଥିଲା। ଏହାକୁ ନେଇ କୌଣସି ବଡ଼ ଧରଣର ଉତ୍ସବ ପାଳିବା ସମ୍ଭବ ନଥିଲା। କିଛି ଦିନ ପରେ ସପନାଙ୍କ ପୁଅ ହେଲା। ଏହାର ନାଁ ପୋରସ ରଖାଯାଇଥିଲା। ଯେଉଁ ନାଁକୁ ନେଇ ବି ବିବାଦ ଉଠିଥିଲା। ୨୦୨୪ରେ ଦ୍ୱିତୀୟ ପୁତ୍ର ସନ୍ତାନକ ଜନକ ହେଲେ। ତାଙ୍କ ନାଁ ଶାହବୀର ରଖିଥିଲେ। ସପନା ଓ ବୀର ୨୦୧୫ରେ ହିସାରର ଲାଡ଼ଓ୍ୱା ଗୋଶାଳାର ଏକ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ପ୍ରଥମ ଥର ଭେଟରେ ବୀର ଜଣେ ଗରମ ମିଜାଜର ବ୍ୟକ୍ତି ବୋଲି ଭାବିଥିଲେ ସପନା। ଯିଏ କାହା ସହ କଥାବାର୍ତ୍ତା ହେବାକୁ ପସନ୍ଦ କରୁନଥିଲେ। ନା କାହା ସହ ଥଟ୍ଟାତାମସା କରିବାକୁ ପସନ୍ଦ କରୁଥିଲେ। ଏହା ପରେ ଏକ ଆଓ୍ୱାର୍ଡ ସୋରେ ଭେଟ ହୋଇଥିଲା। ସେଠାରେ ବି ସପନାଙ୍କୁ ଆଡ଼ ଆଖିରେ ଦେଖିନଥିଲେ ବୀର। ଏହା ପରେ ନିଜ ଆଡ଼ୁ ବୀରଙ୍କୁ ସହଜ କରିବାକୁ ଚେଷ୍ଟା କରିଥିଲେ ସପନା। ଆଉ ଧୀରେ ଧୀରେ ପରସ୍ପରକୁ ବୁଝିବାକୁ ଲାଗିଲେ ଆଉ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ନିକଟରେ ଏକ ପୋଡକାଷ୍ଟରେ ସପନା କହିଥିଲେ, ବିବାହକୁ ୬ ବର୍ଷ ହୋଇଗଲା। ହେଲେ ସେ କେବେ ବି ସତ ପ୍ରେମକୁ ଅନୁଭବ କରିପାରିଲେନି। କେବଳ ସମ୍ପର୍କ ତୁଲାଉଛନ୍ତି। ସେ ନିଜ ହାତରେ ସ୍ୱାମୀଙ୍କ ରଖିଥିବା ଟାଟୁ କୁ ବି ହଟାଇଦେବାକୁ କହିଥିଲେ। ବୀର ସାହୁ ହରିଆଣାରେ ଲୋକପ୍ରିୟ ଗାୟକ, ମଞ୍ଚ କଳାକାର ଓ ମ୍ୟୁଜିକ କମ୍ପୋଜର ଓ ଗୀତିକାର ଅଟନ୍ତି। ସେ ନିଜର ପ୍ରତିଭା ବଳରେ ହରିଆଣାର ବାବୁ ନାଁରେ ପରିଚିତ ହେଲେ। ନର୍ଥ ଇଣ୍ଡିଆରେ ତାଙ୍କର ଲୋକପ୍ରିୟତା ବେଶ୍ ରହିଛି।
