Housing Scheme: ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି, ଭଙ୍ଗା ଘରେ ବିତୁଛି ଜୀବନ
ସାଲେପୁର ବାରିଗୋଳା ଗ୍ରାମରେ ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି। ଭଙ୍ଗା ଘରେ ବିତୁଛି ଜୀବନ, ଭତ୍ତା ଓ ପକ୍କାଘର ପାଇଁ ପ୍ରଶାସନକୁ ଗୁହାରି।
ସାଲେପୁର: “ଆଉ ରହିବନି ଚାଳ ଛପର ଘର, ସଭିଙ୍କୁ ମିଳିବ ପକ୍କାଘର”। ସରକାରଙ୍କ ଏଭଳି ପ୍ରତିଶ୍ରୁତି ସତ୍ତ୍ୱେ ଆଜି ବି ଆବାସ ଯୋଜନାରୁ ବଞ୍ଚିତ ଅନେକ ଯୋଗ୍ୟ ହିତାଧିକାରୀ। ଏହାର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାରିଗୋଳା ପଞ୍ଚାୟତର ବାରିଗୋଳ ଗ୍ରାମରୁ। ଏଠାରେ ଭଙ୍ଗା ଦଦରା ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି ପ୍ରେମାନନ୍ଦ ବିଶ୍ୱାଳ ଓ ହେମଲତା ସ୍ୱାଇଁ। ମୁଣ୍ଡ ଗୁଞ୍ଜିବାକୁ ନାହିଁ ପକ୍କାଘର, ନା ମିଳୁଛି ଆବଶ୍ୟକୀୟ ସରକାରୀ ସହାୟତା। ବାତ୍ୟା ଓ ବନ୍ୟା ସମୟରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟରେ ଆଶ୍ରୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ବିପର୍ଯ୍ୟୟ ପରେ ପୁଣି ସେହି ଅସୁରକ୍ଷିତ ଘରକୁ ଫେରିବାକୁ ପଡୁଛି। ଦୁର୍ଦ୍ଦଶା ଏତିକିରେ ସରିନାହିଁ। ଏକମାତ୍ର ରୋଜଗାରିଆ ପୁଅ ବିବାହ ପରେ ନିଜ ପରିବାର ସହ ଅଲଗା ରହୁଥିବାରୁ ବୃଦ୍ଧ ବାପାମା'ଙ୍କ ଦେଖାଶୁଣା କରୁନାହିଁ।
ପ୍ରେମାନନ୍ଦଙ୍କୁ ମାସକୁ ମାତ୍ର ହଜାରେ ଟଙ୍କା ଭତ୍ତା ମିଳୁଥିବା ବେଳେ ଔଷଧ ଓ ଖାଦ୍ୟ ଖର୍ଚ୍ଚ ପରେ ଚଳିବା କଷ୍ଟକର ହୋଇପଡୁଛି। ଅନ୍ୟପଟେ ଶାରୀରିକ ସମସ୍ୟାରେ ପୀଡ଼ିତ ହେମଲତାଙ୍କୁ ମଧ୍ୟ ଅବସର ପରେ ପେନସନ୍ କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ। ପକ୍କାଘର ଓ ଭତ୍ତା ପାଇଁ ବାରମ୍ବାର ଆବେଦନ କରି ନିରାଶ ହୋଇଛନ୍ତି ଦମ୍ପତି। ସରପଞ୍ଚଙ୍କ କହିବା ଅନୁଯାୟୀ, ଦମ୍ପତି ସରକାରୀ ଯୋଜନା ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଲିକାରୁ ବାରମ୍ବାର ନାମ କଟିଯାଉଛି। ସେପଟେ ବିଡିଓଙ୍କ ସୂଚନା ଅନୁସାରେ, ୨୦୦୨ ମସିହାରେ ପରିବାରର ଜଣଙ୍କ ନାମରେ ଘର ମଞ୍ଜୁର ହୋଇଥିଲା, ମାତ୍ର ନିର୍ମାଣ କାର୍ଯ୍ୟ ଅଧାରେ ରହିଛି। ଏନେଇ ଘର ଓ ଭତ୍ତା ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି, ତଦନ୍ତ କେବେ ସରିବ? କେବେ ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କୁ ପକ୍କାଘର ଓ ହେମଲତାଙ୍କୁ ଭତ୍ତା ମିଳିବ? ଏବେ ପ୍ରଶାସନର ପଦକ୍ଷେପକୁ ଅପେକ୍ଷା।
