Naveen's Big Move : କୋଟିଆରେ ଆନ୍ଧ୍ରର ଦାଦାଗିରି! ଚିଠି ଲେଖିଲେ ନବୀନ
କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମକୁ ନେଇ ଚିନ୍ତା ପ୍ରକଟ କଲେ ନବୀନ ପଟ୍ଟନାୟକ। ଓଡ଼ିଶାର ସୀମା ସୁରକ୍ଷା ପାଇଁ ମୋହନ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ ଓ କେନ୍ଦ୍ରର ସହଯୋଗ ଲୋଡ଼ିଲେ ବିରୋଧୀ ଦଳ ନେତା।

କୋଟିଆ ସୀମା ବିବାଦକୁ ନେଇ ପୁଣି ତେଜିଲା ଓଡ଼ିଶା ରାଜନୀତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଲେଖିଥିବା ଚିଠିରେ କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଇବା ଉଦ୍ୟମକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ନବୀନ। ଆସନ୍ତାକାଲି କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଆୟୋଜନ ଉଦ୍ୟମକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ନବୀନ। ଏହା ଓଡ଼ିଶାର ସୀମା ସୁରକ୍ଷା ଓ ଭୌଗୋଳିକ ଅଖଣ୍ଡତା ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ସେ ଚିଠିରେ ଦର୍ଶାଇଛନ୍ତି। ଏଥିସହ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଓ ମୁହାଁମୁହିଁ ସ୍ଥିତି ବଢ଼ୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା କରିବାକୁ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି | ଅନ୍ୟପକ୍ଷରେ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ନେଇ ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ମନେ ପକାଇ ଦେଇଛନ୍ତି ନବୀନ। ରାଜ୍ୟର ସ୍ୱାର୍ଥ ଓ ସୀମା ସୁରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ବୋଲି ଉଲ୍ଲେଖ କରିବା ସହ କୋଟିଆରେ ସ୍ଥିତି ଆହୁରି ଜଟିଳ ହେବା ପୂର୍ବରୁ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି | କୋଟିଆ ପ୍ରସଙ୍ଗରେ ଉଭୟ ରାଜ୍ୟରେ ଏନ୍ଡିଏ ସହଯୋଗୀ ସରକାର ଥିବାରୁ ଏହି ବିବାଦର ସମାଧାନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଜରୁରୀ ବୋଲି ମଧ୍ୟ ମତ ରଖିଛନ୍ତି ନବୀନ।
