Dhenkanal's Elephant Safety Drive : ହାତୀ ଆସିଲେ ଆଉ ହେବନି ଭୟ! ଗଜସାଥୀଙ୍କୁ ଦିଆଗଲା ସ୍ୱତନ୍ତ୍ର ପ୍ରଶିକ୍ଷଣ
ହାତୀଙ୍କ ସୁରକ୍ଷା ସହ ମଣିଷଙ୍କ ଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଢେଙ୍କାନାଳ ବନ ବିଭାଗର ନୂଆ ପଦକ୍ଷେପ, ୪୫ ଗଜସାଥୀଙ୍କୁ ଦିଆଗଲା ସ୍ୱତନ୍ତ୍ର ତାଲିମ |
ହାତୀଙ୍କ ସୁରକ୍ଷା ସହ ମଣିଷଙ୍କ ଧନଜୀବନ ରକ୍ଷା ପାଇଁ ବନ ବିଭାଗର ଅଭିନବ ପ୍ରୟାସ। ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ୯ଟି ଭିଏସଏସର ୪୫ ଜଣ ଗଜସାଥୀଙ୍କୁ ହାତୀ ସୁରକ୍ଷା ସମ୍ପର୍କିତ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି | ରେଞ୍ଜର କୈଳାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବରିଷ୍ଠ ପ୍ରଶିକ୍ଷକ ଅରବିନ୍ଦ ମାଝୀ ଗଜସାଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ହାତୀଙ୍କ ଗତିବିଧି ଉପରେ ନଜର ରଖିବା, ସେମାନଙ୍କ ସୁରକ୍ଷା ସହ ମଣିଷଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବା ଉପରେ ତାଲିମରେ ଗୁରୁତ୍ୱ ଦିଆଯାଇଥିଲା | ଏଥିସହ ହାତୀଙ୍କ ସୁରକ୍ଷିତ ଯାତାୟାତ ପାଇଁ ରେଳ ଓ ସଡ଼କ ପଥରେ ଅଣ୍ଡରପାସ୍ ବ୍ୟବସ୍ଥା ଏବଂ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା | କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ରେଞ୍ଜର ସୁଶାନ୍ତ କୁମାର ପାତ୍ରଙ୍କ ସମେତ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରଶିକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
