Cash First, Gold Next: ଟଙ୍କା ପରେ ଲକରରୁ ସୁନା, ଭିଜିଲାନ୍ସ ହାତରେ ବଡ଼ ସମ୍ପତ୍ତି
ବ୍ୟାଙ୍କ ଲକରରୁ ମିଳିଲା ୬୦୬ ଗ୍ରାମ ସୁନା ! ଭିଜିଲାନ୍ସ ଜାଲରେ ଫସିଥିବା ଯନ୍ତ୍ରୀଙ୍କ ବଢ଼ିଲା ଅଡୁଆ।

ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଥିବା ମହାନଦୀ ଉତ୍ତର ଡିଭିଜନ, ଜଗତପୁରର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କ ଅଡୁଆ ବଢ଼ିଛି | ତାଙ୍କ ବ୍ୟାଙ୍କ ଲକରରୁ ୬୦୬.୩୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ | ଅଧିକ ତଦନ୍ତ ପାଇଁ ତାଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ରୁଜୁ ମାମଲାରେ ଅଭିଯୁକ୍ତ ପ୍ରସନ୍ନଜିତ ଦାସଙ୍କୁ ରିମାଣ୍ଡରେ ନେବା ପାଇଁ ତଦନ୍ତକାରୀ ଅଧିକାରୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆବେଦନ କରିଥିଲେ। ଅଦାଲତଙ୍କ ଅନୁମତି ପରେ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ୩ ଦିନ ପାଇଁ ତାଙ୍କୁ ପୋଲିସ ରିମାଣ୍ଡରେ ନିଆଯାଇଛି | ରିମାଣ୍ଡ ସମୟରେ ଗତକାଲି ଭୁବନେଶ୍ୱର ବରଗଡ଼ା ସ୍ଥିତ ଆକ୍ସିସ୍ ବ୍ୟାଙ୍କରେ ଥିବା ତାଙ୍କ ଲକରର ଯାଞ୍ଚ କରାଯାଇଥିଲା | ଯାଞ୍ଚ ପରେ ଲକରରୁ ୬୦୬.୩୦ ଗ୍ରାମ ସୁନା ଅଳଙ୍କାର ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୭ ତାରିଖରେ ପ୍ରସନ୍ନଜିତ ଦାସଙ୍କୁ ଭିଜିଲାନ୍ସ ଏକ ଇଣ୍ଟରସେପ୍ସନ୍ ମାମଲାରେ ଧରିଥିଲା। ତାଙ୍କ ନିକଟରୁ ଆୟବର୍ହିଭୂତ ସନ୍ଦେହଜନକ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ ହୋଇଥିଲା। ଏହାପରେ ତାଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଥିଲା। ଏହିପରି ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ ହୋଇଥିଲା। ଆଜି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
