ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ର
ପଞ୍ଚଭୂତରେ ଲୀନ ହେଲା ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର, ଲୁହଭିଜା ଆଖିରେ ଶେଷ ବିଦାୟ ଦେଲେ ପରିବାର ଓ ଶୁଭେଚ୍ଛୁ।
ପୁରୀ: ନୀରବ ହୋଇଗଲା ଚିକିତ୍ସା ଜଗତର ଜଣେ ଚିରପରିଚିତ ସ୍ୱର। ଅଫେରା ରାଇଜକୁ ଚାଲିଗଲେ ବିଶିଷ୍ଟ ଚିକିତ୍ସକ ତଥା ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ର। ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହୋଇଛି ତାଙ୍କ ପାର୍ଥିବ ଶରୀର। ଅତ୍ୟନ୍ତ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି ତାଙ୍କର ଅନ୍ତିମ ସଂସ୍କାର। ଲୁହଭିଜା ଆଖିରେ ଶେଷ ବିଦାୟ ଜଣାଇଛନ୍ତି ପରିବାର, ବନ୍ଧୁ, ଆତ୍ମୀୟ ସ୍ୱଜନ ଓ ଶୁଭେଚ୍ଛୁ। ନିଜ ଜନ୍ମମାଟିରେ ଶେଷ ବିଦାୟ। ଡଃ ମହାପାତ୍ରଙ୍କ ପାର୍ଥିବ ଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଜମିଥିଲା ଜନସମାଗମ। ପୁରୀ ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ଆରମ୍ଭ ହୋଇଥିଲା ଅନ୍ତିମ ସଂସ୍କାର ପ୍ରକ୍ରିୟା।
ଝିଅ ଡଃ ଶୁଭଶ୍ରୀ ମହାପାତ୍ର ଓ ତାଙ୍କ ପୁତୁରା ମୁଖାଗ୍ନି ଦେଇଥିଲେ। ବାପାଙ୍କୁ ଶେଷ ବିଦାୟ ଦେବାର ଏହି ମୁହୂର୍ତ୍ତରେ ଉପସ୍ଥିତ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା। ଏହି ଅବସରରେ ଡଃ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ଲୋକସଭା ସାଂସଦ ସମ୍ବିତ ପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ଏସ୍ପି ପ୍ରତୀକ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ପରିବାରବର୍ଗ, ବନ୍ଧୁ ଓ ଶୁଭେଚ୍ଛୁମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚିକିତ୍ସା ଜଗତରେ ଡଃ ମହାପାତ୍ରଙ୍କ ଦୀର୍ଘ ଅନୁଭବ, ଜ୍ଞାନ, ଗବେଷଣା ଓ ମାନବସେବା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ କେବଳ ପରିବାର ପାଇଁ ନୁହେଁ, ସମଗ୍ର ଓଡ଼ିଶା ଓ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
