Running star ‘Pillu Goggins’:ରନିଂ ଷ୍ଟାର ‘ପିଲ୍ଲୁ ଗଗିନ୍ସ’: ୩୮ କିମି ଦୌଡ଼ିଲା କୁକୁର
ସାଧାରଣତଃ ଜଣେ ରନର ୩୮ କିମି ଦୌଡିଲେ ବଡ ଉପଲବ୍ଧି ବୋଲି ଧରାଯାଏ | ହେଲେ କାନପୁରରେ ଗୋଟେ ବୁଲା କୁକୁର ବିନା ନିମନ୍ତ୍ରଣରେ ରନର ମାନଙ୍କ ସହ ୩୮ କିମି ଦୌଡି ଇଣ୍ଟରନେଟରେ ଷ୍ଟାର ପାଲଟି ଯାଇଛି | ତାକୁ ରନରମାନେ ମଜାରେ ‘ପିଲ୍ଲୁ ଗଗିନ୍ସ’ ଡାକୁଛନ୍ତି |
କାନପୁର:କାନପୁରର ଏକ ଦୀର୍ଘ ମାରାଥନ୍ରେ ଦୌଡ଼ୁଥିବା ରନରଙ୍କୁ ସାଥ୍ ଦେବାକୁ ଜଣେ ଷ୍ଟ୍ରେ ଡଗ୍ ଦୌଡ଼ିବା ଆରମ୍ଭ କଲା। ହେଲେ କେବଳ ଗୋଟେ କି ଦୁଇ କିଲୋମିଟର ନୁହେଁ, ପୂରା ୩୮ କିଲୋମିଟର ପର୍ଯ୍ୟନ୍ତ ରନରଙ୍କ ସହ ଦୌଡ଼ି ଏବେ ଇଣ୍ଟରନେଟ୍ରେ ଷ୍ଟାର ପାଲଟିଛି କାନପୁରର ‘ପିଲ୍ଲୁ’। ତାକୁ ରନରମାନେ ମଜାରେ ‘ପିଲ୍ଲୁ ଗଗିନ୍ସ’ ନାଁ ଦେଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ପ୍ରଥମ୍ ଓ ଅନ୍ୟ ରନରମାନଙ୍କ ସହ ପିଲ୍ଲୁ ଏହି ଦୌଡ଼ରେ ସାମିଲ ହୋଇଥିଲା। ପ୍ରଥମ୍ ନିଜେ ପ୍ରାୟ ୪୩ କିମି ଦୌଡ଼ିଥିବା ବେଳେ ପିଲ୍ଲୁ ପ୍ରାୟ ୩୮ କିମି ପର୍ଯ୍ୟନ୍ତ ତାଙ୍କ ସହ ରହିଥିଲା। ରାସ୍ତାରେ ରନରମାନେ ଯେତେବେଳେ ହାଇଡ୍ରେସନ୍ ବ୍ରେକ୍ ନେଉଥିଲେ, ପିଲ୍ଲୁ ବି ସେଠାରେ ଅଟକୁଥିଲା। ରନର ମାନେ ମଧ୍ୟ ପିଲ୍ଲୁର ପର୍ଯ୍ୟାପ୍ତ ପାଣି ପିଇବା ଓ ବିଶ୍ରାମ ନେବା ସୁନିଶ୍ଚିତ କରିଥିଲେ। ବିଶେଷ କଥା ହେଉଛି, ରନରମାନେ ଆରମ୍ଭରୁ ଭାବିଥିଲେ ଯେ ୨୧ କିମି ପରେ ପିଲ୍ଲୁକୁ ଦୌଡ଼ିବାରୁ ଅଟକାଇବା ସହ ଥକି ଯାଇଥିବା ରନର ମାନଙ୍କୁ ଅଟୋରେ ଘରକୁ ଫେରାଇଦେବେ । କିନ୍ତୁ ହାଫ୍ ମାରାଥନ୍ ଦୂରତା ପାର୍ କରିବା ପରେ ବି ପିଲ୍ଲୁ ଦୌଡ଼ିବା ବନ୍ଦ କରିନଥିଲା। ତାର ଉତ୍ସାହ ଦେଖି ରନରମାନେ ମଧ୍ୟ ଆଗକୁ ବଢ଼ିଥିଲେ। ବିନା ନିମନ୍ତ୍ରଣରେ ରନରମାନଙ୍କ ସହ ଦୌଡୁଥିବା ଚାରିଗୋଡିଆ ରନର ପିଲ୍ଲୁକୁ ନେଇ ଭିଡିଓ ଭାଇରାଲ୍ ହେବା ପରେ ଅନେକ ଲୋକ ତାର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ଏହାର ଜବାବରେ ପ୍ରଥମ୍ କହିଛନ୍ତି, ପିଲ୍ଲୁ ତାଙ୍କ ଘର ପାଖରେ ରହେ, ସେମାନଙ୍କ ସହ ଦୌଡ଼ ଆରମ୍ଭ କରିଥିଲା ଏବଂ ଶେଷରେ ତାଙ୍କ ଘରେ ହିଁ ପହଞ୍ଚିଥିଲା। ଏବେ ଏହି ଚାରି ଗୋଡ଼ିଆ ରନରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।
