Death Threat To Saif:ସୈଫଙ୍କୁ ମାରିବାକୁ ଧମକ ଦେଲା ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ!
ସୈଫ ଅଲ୍ଲି ଖାନଙ୍କୁ ଜୀବନରେ ମାରିବାକୁ ଧମକ। ବାବା ସିଦ୍ଦିକି ହତ୍ୟାକାଣ୍ଡରେ ଓ୍ୱାଣ୍ଟେଡ୍ ଅଭିଯୁକ୍ତ ଜୀସାନ ଅଖତାର ଦେଲା ଧମକ।ଗଲା ବର୍ଷ ସୈଫଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା

ସୈଫ ଅଲ୍ଲି ଖାନଙ୍କୁ ଜୀବନରେ ମାରିବାକୁ ଧମକ। ବାବା ସିଦ୍ଦିକି ହତ୍ୟାକାଣ୍ଡରେ ଓ୍ୱାଣ୍ଟେଡ୍ ଅଭିଯୁକ୍ତ ଜୀସାନ ଅଖତାର ଦେଲା ଧମକ। ତଦନ୍ତ କରୁଛି ମୁମ୍ୱାଇ ପୁଲିସ। ଏହା ପୂର୍ବରୁ ତୁଷାର କପୁର ଓ ଆୟୁଷ୍ମାନ ଖୁରାନାଙ୍କୁ ବି ମିଳିଥିଲା ଧମକ। ଏ ମାମଲାରେ ବେଙ୍ଗାଲୁରୁର ୩୦ ବର୍ଷୀୟ ବୈଭବ ମିଶ୍ରାକୁ ପୁଲିସ ଗିରଫ କରିଥିଲା। ଏଆଇ ବ୍ୟବହାର କରି ଫିଲ୍ମ ଷ୍ଟାରଙ୍କୁ ଧମକ ଦେଉଥିଲା ବୈଭବ। ବୈଭବ ଆଇଆଇଟି ଗ୍ରାଜୁଏଟ୍। ତଦନ୍ତରେ ସାମ୍ନାକୁ ଆସିଥିଲା ଯେ, ତାହାର କୌଣସି ଗ୍ୟାଙ୍ଗ ସହ ସମ୍ପର୍କ ନଥିଲା। ଏବେ ସୈଫ ଅଲ୍ଲି ଖାନଙ୍କୁ ମିଳିଥିବା ତାଜା ଧମକ ମାମଲାରେ
ପୁଲିସ ବି ଏ ଦିଗକୁ ଧ୍ୟାନ ଦେଇ ଯାଞ୍ଚ ଆରମ୍ଭ କରିଛି। ଧମକ ପଛରେ ବାସ୍ତବରେ ଜୀସାନ ଅଖତାରର ହାତ ଅଛି ନା ଏହା ଏଆଇ ଜେନେରେଟେଡ। ନା ଅନ୍ୟ କୌଣସି ଟୁଲ୍ ବ୍ୟବହାର କରି ଫିଲ୍ମ ସେଲିବ୍ରିଟିଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ଅଛି। ଗଲା ବର୍ଷ ସୈଫଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଘରେ ଚୋରି ଉଦ୍ଦେଶ୍ୟରେ ପଶିଥିଲା ଅଭିଯୁକ୍ତ ମହମ୍ମଦ ଶେହଜାଦ। ଠାଣେରୁ ପୁଲିସ ତାକୁ ଗିରଫ କରିଥିଲା। ଜାନୁଆରୀ ୧୬, ୨୦୨୫ ରାତିରେ ମୁମ୍ୱାଇର ବାନ୍ଦ୍ରାସ୍ଥିତ ଘରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରେ ବିଲଡିଂ ପରିସରରେ ପହଞ୍ଚିଥିଲା ଶେହଜାଦ। କାନ୍ଥର ଡକ୍ଟ ପାଇପ୍ ଜରିଆରେ ଉପରକୁ ଚଢ଼ି ଘରେ ପହଞ୍ଚିଥିଲା। ସୈଫଙ୍କ ସାନ ପୁଅ ଜେହଙ୍କ ଘର ସହ ଜଡ଼ିତ ବାଥରୁମ ରାସ୍ତାରେ ଘର ଭିତରକୁ ଯାଇଥିଲା। ତେବେ ପ୍ରାୟ ରାତି ଅଢ଼େଇଟାରେ ଘରେ କାମ କରୁଥିବା ନର୍ସ ଏଲିୟାମା ଫିଲିପ ତାକୁ ବାଥରୁମରେ ଲୁଚିଥିବା ଦେଖିଦେଇଥିଲେ।
ଅଭିଯୁକ୍ତ ତାଙ୍କୁ ଭୟଭୀତ କରାଇ କୋଟିଏ ଟଙ୍କା ମାଗିଥିଲା। ନର୍ସ ଚିଲେଇବାରୁ ଘର ଲୋକ ଉଠିଗଲେ। ସୈଫ ଓ କରିନା ପିଲାଙ୍କ କୋଠରୀକୁ ଯାଇଥିଲେ। ଆକ୍ରମଣକାରୀକୁ ରୋକିବାକୁ ଚେଷ୍ଟା ବେଳେ ସୈଫଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଛୁରୀ ଆଘାତରେ ସୈଫଙ୍କ ପିଠି, ବେକ ଓ ହାତରେ ଆଘାତ ଲାଗିଥିଲା। ନର୍ସ ବି ଆହତ ହୋଇଥିଲେ। କରିନା ପିଲାଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପରେ ଆହତ ସୈଫଙ୍କୁ ତୁରନ୍ତ ଲୀଳାବତୀ ହସ୍ପିଟାଲ ନେଇଥିଲେ। ସେଠାରେ ସୈଫଙ୍କ ସର୍ଜରୀ ହୋଇଥିଲା। ସେ ଜାନୁଆରୀ ୨୨ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ମୁମ୍ୱାଇ ପୁଲିସ ୧୯ ତାରିଖରୁ ହିଁ ଅଭିଯୁକ୍ତ ମହମ୍ମଦ ଶରୀଫୁଲ ଇସଲାମ ଶେହଜାଦଙ୍କୁ ଠାଣେରୁ ଗିରଫ କରିଥିଲା। ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଥିଲା। ନିଜ ପରିଚୟ ଗୋପନ ରଖି ନିଜକୁ ବିଜୟ ଦାସ ବୋଲି କହୁଥିଲା। ସିସିଟିଭି ଫୁଟେଜ, ଟେକ୍ନିକ ସାକ୍ଷ୍ୟ ଓ ଜଣେ ଲେବର କଣ୍ଟ୍ରାକ୍ଟରଙ୍କଠୁ ମିଳିଥିବା ତଥ୍ୟ ଆଧାରରେ ତାକୁ ଗିରଫ କରିଥିଲା। ତଦନ୍ତରେ ସାମ୍ନାକୁ ଆସିଥିଲା ଯେ, ଘଟଣା ପରେ କପଡ଼ା ବଦଳାଇ ସହରରୁ ଫେରାର ହେବା ଚକ୍କରରେ ଥିଲା ଅଭିଯୁକ୍ତ। ଏପ୍ରିଲ
୨୦୨୫ରେ ଏ ମାମଲାରେ ୧୬ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୁଲିସ।
