Who Named Cyclone:ବାତ୍ୟାର ନାଁ କିଏ ରଖେ? ୧୩ ଦେଶର ସମନ୍ୱୟରେ ହୁଏ ନାମକରଣ
ଫାଇଲିନ୍, ଫନି, ଅମ୍ଫାନ୍ ରୁ ଅକୱାନ୍। ବାତ୍ୟାର ନାମ କିଏ ରଖେ? କେଉଁ ଆଧାରରେ ହୁଏ ନାମକରଣ? ଜାଣନ୍ତୁ ୧୩ ଦେଶ ଓ ୧୬୯ ନାମର ପୂରା କାହାଣୀ।

ଭୁବନେଶ୍ୱର: କେବେ ଫାଇଲିନ୍, କେବେ ଫନି, ତ କେବେ ଅମ୍ଫାନ୍ ଓ ଅର୍ଣ୍ଣବ, ଆଉ ଏବେ ଚର୍ଚ୍ଚାରେ ବାତ୍ୟା 'ଅକୱାନ'! ବାତ୍ୟା ଆସିବା ମାତ୍ରେ ଏହି ନାଁଗୁଡ଼ିକୁ ନେଇ ବଢ଼େ ଚର୍ଚ୍ଚା। କିନ୍ତୁ ଆପଣ ଜାଣନ୍ତି କି, ବାତ୍ୟାର ନାଁ କିଏ ରଖେ? କେଉଁ ଆଧାରରେ ହୁଏ ନାମକରଣ? ଏହା ପଛରେ ରହିଛି ୧୩ଟି ଦେଶର ସମନ୍ୱୟ ଓ ଏକ ବୈଜ୍ଞାନିକ ପ୍ରକ୍ରିୟା। ବାତ୍ୟାର ବିଭୀଷିକା ଯେତିକି ଭୟଙ୍କର, ତା'ର ନାମକରଣ ପ୍ରକ୍ରିୟା ସେତିକି ରୋଚକ। ଏକାଧିକ ବାତ୍ୟାକୁ ସଂଖ୍ୟା କିମ୍ବା ଭୌଗୋଳିକ ସ୍ଥିତିରେ ଚିହ୍ନିବା କଷ୍ଟକର। ତେଣୁ ସହଜରେ ଚିହ୍ନିବା, ସତର୍କ ସୂଚନା ପହଞ୍ଚାଇବା ଓ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରଖିବା ପାଇଁ ଦିଆଯାଏ ସ୍ୱତନ୍ତ୍ର ନାଁ। ବାତ୍ୟାକୁ ନାଁ ଦେବାର ପରମ୍ପରା ନୂଆ ନୁହେଁ। ଆଟଲାଣ୍ଟିକ୍ ମହାସାଗର ଅଞ୍ଚଳରେ ୧୯୫୩ ମସିହାରୁ ନିୟମିତ ଭାବେ ନାମ ତାଲିକା ବ୍ୟବହାର ଆରମ୍ଭ ହୋଇଥିଲା। କିନ୍ତୁ ଭାରତ ମହାସାଗର ଅଞ୍ଚଳରେ ଏହି ବ୍ୟବସ୍ଥା ପାଇଁ ୨୦୦୦ ମସିହାରେ ମସ୍କଟ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା। ଆଉ ୨୦୦୪ ସେପ୍ଟେମ୍ବରରୁ ବଙ୍ଗୋପସାଗର ଓ ଆରବ ସାଗରର ବାତ୍ୟାଗୁଡ଼ିକର ନାମକରଣ ଆରମ୍ଭ ହେଲା। ଏହି ନାମକରଣ ପ୍ରକ୍ରିୟାରେ ରହିଛି ବିଶ୍ୱ ପାଣିପାଗ ସଂଗଠନ WMO ଏବଂ ଜାତିସଂଘର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ଓ ସାମାଜିକ ଆୟୋଗ ESCAPର ଆଞ୍ଚଳିକ ପ୍ୟାନେଲ୍। ଭାରତ ସମେତ ୧୩ଟି ଦେଶ ନାମ ପ୍ରସ୍ତାବ କରନ୍ତି। ସେଗୁଡ଼ିକ ହେଲେ- ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ, ୟେମେନ । ପ୍ରତ୍ୟେକ ଦେଶ ୧୩ଟି ଲେଖାଏଁ ନାଁ ପ୍ରସ୍ତାବ କରିଛନ୍ତି। ଏହିପରି ୧୬୯ଟି ନାମର ଏକ ତାଲିକା ପ୍ରସ୍ତୁତ ହୋଇଛି l ତେବେ ମନଇଚ୍ଛା କୌଣସି ନାଁ ଦେଇହେବ ନାହିଁ। ନାଁ ଛୋଟ, ସହଜ ଉଚ୍ଚାରଣଯୋଗ୍ୟ ଓ ମନେ ରଖିବା ଭଳି ହେବା ଦରକାର। ଥରେ ବ୍ୟବହାର ହୋଇଥିବା ନାଁ ପୁଣି ବ୍ୟବହାର ହୁଏ ନାହିଁ।
ତେବେ ଫାଇଲିନ୍ର ନାଁ ଦେଇଥିଲା ଥାଇଲାଣ୍ଡ, ହୁଡ୍ହୁଡ୍ର ଓମାନ, ତିତ୍ଲିର ପାକିସ୍ତାନ, ଫନିର ବାଂଲାଦେଶ, ଅମ୍ଫାନ୍ର ଥାଇଲାଣ୍ଡ, ତାଉକ୍ତେର ମିଆଁମାର, ୟାସ୍ର ଓମାନ, ମୋଚାର ୟେମେନ୍, ବିପର୍ଯ୍ୟୟର ବାଂଲାଦେଶ, ରେମାଲ୍ର ଓମାନ, ଦାନାର ନାଁ କତାର ଦେଇଥିଲେ।
ଆଉ ଏବେ ଚର୍ଚ୍ଚାରେ ଥିବା ବାତ୍ୟା 'ଅକୱାନ', ଏହାର ନାମକରଣ ଇରାନ ଦ୍ୱାରା କରାଯାଇଛି। ତେବେ ଏହା ୨୦୨୦ରେ ଜାରି ହୋଇଥିବା ୧୬୯ଟି ନାମର ତାଲିକାରେ ରହିଛି। ତେବେ ବାତ୍ୟା କେଉଁ ଦେଶର ନାଁରେ ନାମିତ ହେଲା, ତାହାର ଅର୍ଥ ସେହି ଦେଶରେ ବାତ୍ୟା ସୃଷ୍ଟି ହେଲା କିମ୍ବା ସେଠାରେ ହିଁ ମାଡ଼ ହେବ, ତାହା ନୁହେଁ। ନାମ ତାଲିକାରେ ଦେଶଗୁଡ଼ିକର ପାଳି ଅନୁସାରେ ନାଁ ବ୍ୟବହାର ହୁଏ। ବାତ୍ୟାର ନାଁ ହୁଏତ ମନେ ରହିଯାଏ, ହେଲେ ତା’ର ତାଣ୍ଡବର ଦାଗ ରହିଯାଏ ମଣିଷର ଜୀବନରେ। ଫାଇଲିନ୍, ଫନି, ଅମ୍ଫାନ୍ ହେଉ କି ଦାନା—ପ୍ରତିଟି ନାଁ ପଛରେ ରହିଛି ଏକ ଭୟଙ୍କର ପ୍ରାକୃତିକ ଘଟଣାର ଇତିହାସ। ନାମକରଣର ଉଦ୍ଦେଶ୍ୟ ବାତ୍ୟାକୁ ଚର୍ଚ୍ଚିତ କରିବା ନୁହେଁ, ବରଂ ବିପଦ ଆସିବା ପୂର୍ବରୁ ମଣିଷକୁ ସତର୍କ କରିବା। କାରଣ ବାତ୍ୟାର ନାଁ ଯାହା ହେଉ, ମଣିଷର ଜୀବନ ହିଁ ସବୁଠୁ ମୂଲ୍ୟବାନ।
