Panchuka Rituals:କାର୍ତ୍ତିକ ମାସର ପଞ୍ଚୁକ ବ୍ରତର ମହାତ୍ମ୍ୟ କ'ଣ? କାହିଁକି ପାଳନ ହୁଏ ଭୀଷ୍ମପଞ୍ଚକ ବ୍ରତ
କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ କୁହାଯାଏ ପଞ୍ଚୁକ। ମହାପଞ୍ଚକ, ଭୀଷ୍ମପଞ୍ଚକ ଓ ବିଷ୍ଣୁପଞ୍ଚକ ନାମରେ ମଧ୍ୟ ଏହା ପରିଚିତ। ଏହି ପାଞ୍ଚଦିନରେ ଶ୍ରୀଜୀଉଙ୍କ ପାଞ୍ଚଟି ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଜମେ ଭକ୍ତଙ୍କ ଭିଡ଼।

ବ୍ଯୁରୋ: ଓଡ଼ିଶାର ଧାର୍ମିକ ଓ ଆଧ୍ୟାତ୍ମିକ ପରମ୍ପରାରେ ପଞ୍ଚୁକର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ବ୍ରତ ପାଳନ କରାଯାଏ। ଯେଉଁମାନେ ପୂରା କାର୍ତ୍ତିକ ମାସ ହବିଷ୍ୟ ପାଳନ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ କରି ପୁଣ୍ୟ ଅର୍ଜନ କରିଥାନ୍ତି। ଏହି ସମୟରେ ଭକ୍ତମାନେ ଆମିଷ ତ୍ୟାଗ କରି ସାତ୍ତ୍ୱିକ ଆହାର ଗ୍ରହଣ କରନ୍ତି।
କାହିଁକି କୁହାଯାଏ ଭୀଷ୍ମପଞ୍ଚକ?
ପଞ୍ଚୁକ ସହ ଜଡ଼ିତ ରହିଛି ମହାଭାରତର ଏକ ରୋଚକ କିମ୍ବଦନ୍ତୀ। କୁରୁକ୍ଷେତ୍ର ଯୁଦ୍ଧ ପରେ ଶରଶଯ୍ୟାରେ ଶାୟିତ ଭୀଷ୍ମ ପିତାମହ ପାଣ୍ଡବମାନଙ୍କୁ ରାଜଧର୍ମ, ମୋକ୍ଷଧର୍ମ ଓ ଦାନଧର୍ମ ସମ୍ପର୍କରେ ଉପଦେଶ ଦେଇଥିଲେ। ତାଙ୍କର ଧର୍ମଜ୍ଞାନ ଓ ତ୍ୟାଗରେ ପ୍ରସନ୍ନ ହୋଇ ଭଗବାନ ଶ୍ରୀକୃଷ୍ଣ ଏହି ପାଞ୍ଚଦିନକୁ ଭୀଷ୍ମଙ୍କ ନାମରେ ସମର୍ପିତ କରିଥିବା କଥା ଧାର୍ମିକ ପରମ୍ପରାରେ ବର୍ଣ୍ଣିତ। ଏହି କାରଣରୁ ଏହାକୁ ଭୀଷ୍ମପଞ୍ଚକ ବୋଲି କୁହାଯାଏ। ଏହି ସମୟରେ ଭୀଷ୍ମଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।
ଅନ୍ୟପଟେ ଶ୍ରୀମନ୍ଦିରରେ ପଞ୍ଚୁକର ପାଞ୍ଚଦିନ ମହାପ୍ରଭୁଙ୍କ ପାଞ୍ଚଟି ଆକର୍ଷଣୀୟ ବେଶ ଅନୁଷ୍ଠିତ ହୁଏ। ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦିଅନ୍ତି ଶ୍ରୀଜୀଉ।
ପଞ୍ଚୁକ ସମୟରେ ତୁଳସୀ ପୂଜା, ଦୀପଦାନ, ହରିନାମ ସଂକୀର୍ତ୍ତନ ଓ ହବିଷ୍ୟ ପାଳନର ରହିଛି ବିଶେଷ ମହତ୍ତ୍ୱ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ଦେଶବିଦେଶରୁ ଭକ୍ତଙ୍କ ସମାଗମ ହୋଇଥାଏ। ପଞ୍ଚୁକ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଭକ୍ତି, ସଂଯମ, ତ୍ୟାଗ ଓ ଆଧ୍ୟାତ୍ମିକ ଶୁଦ୍ଧିର ଏକ ମହାନ ପରମ୍ପରା।
